(ଜୟନ୍ତ କୁମାର ସେଠୀ / ପୁରୀ): ୫୦୦ ବର୍ଷ ତଳର କଥା । ଗଜପତି ଶ୍ରୀ ପ୍ରତାପ ରୁଦ୍ରଦେବଙ୍କ ଶାସନ ଚାଲିଥାଏ । ଏହି କାଳରେ ଦିନେ କାର୍ତ୍ତିକ ମାସ ପ୍ରଥମ ଦିନ ଅର୍ଥାତ କୁମାର ପୂର୍ଣ୍ଣିମା ପର ଦିନ ପ୍ରବଳ ବର୍ଷା ତୋଫାନ ଲାଗି ରହିଥିଲା । ସିଂହଦ୍ୱାର ଫିଟି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହେଇପାରୁନଥାଏ । ମଙ୍ଗଳ ଆଳତୀ ପାଇଁ ରୋଷ ଘରୁ ଅଗ୍ନି ଆସିଥାଏ। ଅଗ୍ନି ଆଣୁ ଆଣୁ ପ୍ରତ୍ୟକ ଥର ତାହା ଲିଭି ଯାଉଥାଏ। ଗଜପତିଙ୍କ ନିକଟକୁ ଏହି ଖବର ଗଲା। ଏହି ସମୟରେ ଅତିବଡ଼ି ଜଗନ୍ନାଥ ଦାସ ଓ ଶ୍ରୀ ଚୈତନ୍ୟ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର କୁ ଆସିଥାନ୍ତି। ସେବକ ମାନେ ତାଙ୍କୁ ରୋଷ ଘରୁ ଅଗ୍ନି ଆଣିବାକୁ କହିଥିଲେ। ମହାରାଜଙ୍କ ସ୍ୱୀକୃତି କ୍ରମେ ଉଭୟ ରୋଷ ଘରୁ ଅଗ୍ନି ଆଣି ଜୟ ବିଜୟ ଦ୍ୱାର ନିକଟରେ ପହଁଚିଲେ । ଝଡ଼ ତୋଫାନ ଲାଗି ରହିଥାଏ , କିନ୍ତୁ ଦୀପ ଲିଭି ନ ଥିଲା ଏହା ଦେଖି ସମସ୍ତେ ଆବକ ହୋଇଥିଲେ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ବଢିଥିଲା। ସେହି ଦିନ ଠାରୁ ପ୍ରତ୍ୟକବର୍ଷ କାର୍ତ୍ତିକ ମାସରେ ଅଖଣ୍ଡ ଦୀପ ଜଳିଥାଏ। ଏହାକୁ ବଡ଼ ଓଡ଼ିଆ ମଠ ଏବଂ ରାଧାକାନ୍ତ ମଠ ଯୋଗାଇଥାନ୍ତି।
କାର୍ତ୍ତିକ ନୀତି ଆରମ୍ଭ ଦିନରୁ ମହାପ୍ରଭୁଙ୍କ ସମ୍ମୁଖରେ ଦିବାରାତ୍ର ଏହି ଅଖଣ୍ଡ ଦୀପ ଜଳିଥାଏ। ବଡ଼ଓଡ଼ିଆ ମଠ ଏବଂ ରାଧାକାନ୍ତ ମଠର ୨ ଜଣ ବୈଷ୍ଣବ ସାଧୁ ଏହି ଦୀପ ଜାଳିଥାନ୍ତି। ଶ୍ରୀମନ୍ଦିର ଶୋଧ ହେଲା ପରେ ମଧ୍ୟ ଏହି ଦୀପ ଜଳିବାକୁ ଅନୁମତି ମିଳିଥାଏ । ବଡ଼ ବାଡ଼ ପାର୍ଶ୍ଵକୁ ରାଧାକାନ୍ତ ମଠ ଓ ମହାପ୍ରଭୁ ବାଡ଼ ପାର୍ଶ୍ଵରେ ବଡ଼ ଓଡ଼ିଆ ମଠ ଦୀପ ଜଳିଥାଏ।
ତଳେ ବାଲି ରଖାଯାଇ ମାଟି ପଲମ ରହିଥାଏ ଓ ତା ଉପରେ ଦୀପ ଜଳିଥାଏ। ଦୀପ ଉପରେ ଏକ ପଲମ ରଖାଯାଇଥାଏ। ସେଥିରେ କଳା ସଂଗ୍ରହ ହୋଇଥାଏ। ପ୍ରଥମ ଦିନରେ ସଂଗ୍ରହ ହୋଇଥିବା କଳା ମହାପ୍ରଭୁଙ୍କ ଉଦେଶ୍ୟରେ ଲାଗିଥାଏ। ପରେ ଏହାକୁ ଭକ୍ତ ମାନେ ସଂଗ୍ରହ କରିଥାନ୍ତି ଓ ଏହାର ବିଶେଷ ମହତ୍ତ୍ୱ ରହିଛି।