ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର କରହିବା ଅନୁଯାୟୀ ଆସନ୍ତା ୧୪ ତାରିଖରେ ବଢିପାରେ ବର୍ଷାର ପରିମାଣ ଓ ବିସ୍ତୁତି । ଆସନ୍ତା ୨୪ ଘଣ୍ଟାରେ ୧୪ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୧୪ ତାରିଖରୁ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ ୧୬ ତାରିଖରୁ ସାରା ରାଜ୍ୟରେ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ । ବର୍ତମାନ ସୁଦ୍ଧା ୧୭ ଜିଲ୍ଲାର ବର୍ଷା ସ୍ଥିତି ନିଅଣ୍ଟ ଥିବା ବେଳେ ଚଳିତ ମୌସୁମୀ ଋତୁରେ ୧ଜୁନରୁ ଏବେ ପର୍ଯ୍ୟନ୍ତ ୨୩୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ବର୍ଷା ୩୧୪ ମିଲିମିଟର ତୁଳନାରେ ୨୬ ପ୍ରତିଶତ କମ୍ ରହିଛି । ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫ ମିଲିମିଟର ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି ।