ଭୁବନେଶ୍ୱର: ଚାକିରି ଦେବା ନାମରେ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଗିରଫ ହୋଇଥିବା ମହିଳାଙ୍କ ନାମ ସୁରେଶ୍ୱରୀ ଜେନା ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ସୁରେଶ୍ୱରୀ ନିଜକୁ ଜଣେ ସ୍ୱେଚ୍ଛାସେବୀ ସଂଗଠନ ସହ ଜଡିତ ଥିବା ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗିରଫ ଭୟରେ ସୁରେଶ୍ୱରୀ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଅସ୍ୱୀକାର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣ୍ଡଗିରି ଥାନା ପୋଲିସର ଏକ ବିଶେଷ ଦଳ କେନ୍ଦୁଝରକୁ ଯାଇ ସୁରେଶ୍ୱରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ ଆଗୁଆ ତଦନ୍ତ ଜାରି ରଖିଛି ଏବଂ ଏଥିରେ ଆହୁରି କେହି ଜଡିତ ଅଛନ୍ତି କି ନାହିଁ ତାହା ଖୋଜାଯାଉଛି।