ଭୁବନେଶ୍ୱର: ରାଜ୍ୟକୁ ଫେରିବ ଶୀତ । ଲଘୁଚାପ ଜନିତ ବର୍ଷା ପାଇଁ ରାଜ୍ୟରୁ ଦୂରେଇ ଥିଲା ଥଣ୍ଡା । ଏବେ ଧୀରେ ଧୀରେ ଶୀତ ଲେଉଟାଣି ହେଉଛି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି । ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦ ଡିଗ୍ରୀ ନିକଟତର ହେଉଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ହେବ ଫଳରେ ଶୀତ ବଢ଼ିବ। ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏଥିସହିତ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଫଳରେ ସାରା ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବ। ଆଜିଠାରୁ ତାପମାତ୍ରା ହ୍ରାସ ହୋଇଥିବା ଯୋଗୁଁ ନୂଆ ବର୍ଷ ରାତିରେ ଏହାର ପ୍ରଭାବ ଅନୁଭୂତ ହେବା ସହ ଶୀତ ଆହୁରି ବଢ଼ିବ।