ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର-: ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ଭୁବନେଶ୍ଵର, କଟକକୁ କରୋନା ଭୟ ଘାରିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ  ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀ ହେଉଛନ୍ତି କଟକ ଓ  ଭୁବନେଶ୍ଵର ବାସିନ୍ଧା ।

ତେବେ ଦେଶରେ ୪ ହଜାର ପାଖାପାଖି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି ଏବଂ କରନା ସଂକ୍ରମିତ ମୃତକଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି ।

କେରଳରେ ସର୍ବାଧିକ ୧୪୩୫ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୩୬, କର୍ଣ୍ଣାଟକରେ ୨୫୩, ତାମିଲନାଡୁରେ ୧୮୯, ପଶ୍ଚିମବଙ୍ଗରେ ୩୩୧, ଗୁଜରାଟରେ ୩୩୮, ଉତ୍ତର ପ୍ରଦେଶରେ ୧୫୭ମାମଲା ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୪ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

କରୋନା ସ୍ଥିତିକୁ ନେଇ ଓଡିଶା ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା କହିଛନ୍ତି ଜଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ସମନ୍ବିତ ରୋଗ ଯାଞ୍ଚ କାର୍ଯ୍ୟକ୍ରମ (ଆଇଡିଏସପି) କକ୍ଷ ଜରିଆରେ ଆମେ ସ୍ଥିତି ଉପରେ ନଜର ରଖିଛୁ। ଏପର୍ଯ୍ୟନ୍ତ କୌଣସି ରୋଗୀ ଗୁରୁତର ନାହାନ୍ତି । ଯେଉଁ ୧୨ଜଣ ଆକ୍ରାନ୍ତ ହୋଇଥିଲେ ସେମାନେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଲୋକଙ୍କୁ ଆମେ ସତର୍କ ରହିବାକୁ ପରାମର୍ଶ ଦେଇଛୁ । ଏବେ ଯେଉଁ କରୋନା ବ୍ୟାପୁଛି ତାହା ଓମିକ୍ରନର ସବଭାରିଆଣ୍ଡ୍ । ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନି । ଯେହେତୁ କେନ୍ଦ୍ର ଏପର୍ଯ୍ୟନ୍ତ କିଛି ନିୟମାବଳୀ ଜାରି କରିନାହାନ୍ତି ତେଣୁ ପୁରୁଣା କୋଭିଡ୍ ନିୟମରେ ହିଁ ସବୁ ଚାଲିଛି । ଏପର୍ଯ୍ୟନ୍ତ ସେଭଳି ଚିନ୍ତାଜନକ ମାମଲା ସାମ୍ନାକୁ ଆସିନାହିଁ ।