ଭଦ୍ରକ : ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ୨ଜଣ ୫ମ ଶ୍ରେଣୀ ଛାତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ । ସୂଚନା ଅନୁଯାୟୀ, ଧାନଘର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ସାଇକେଲ ନେଇ ଘରକୁ ଯାଉଥିବା ବେଳେ ଧାନଘର ଛକ ନିକଟରେ ଧାନ ଅନଲୋଡ କରି ଫେରୁଥିବା ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଦିତ୍ୟ ଜେନା ନାମକ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର କର୍ତ୍ତବ୍ୟ ପ୍ରାମାଣିକ ଗୁରୁତର ଅବସ୍ଥାରେ ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ସ୍ଥାନୀୟ ଧାନଘର ଛକରେ ସ୍ଥାନୀୟ ଲୋକେ ବନ୍ତ ଆଗରପଡା ରାସ୍ତା ଅବରୋଧ କରିଛନ୍ତି । ଟ୍ରାକ୍ଟର ଓ ଟ୍ରାକ୍ଟର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ବେଳେ ଟ୍ରାକ୍ଟର ମାଲିକ ଓ ଟ୍ରାକ୍ଟରକୁ ପୋଲିସକୁ ହସ୍ତାନ୍ତର କରିବେ ।