ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭୁବନେଶ୍ବର: କୋଟିପତି ଆରଟିଓ ବସନ୍ତ କୁମାର ମହାପାତ୍ର ହେଲେ ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଗତକାଲି ବସନ୍ତଙ୍କ ଭଡ଼ାଘର, ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରି ୧୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରିଥିଲା।
ଆରଟିଓଙ୍କ ବେନାମୀ ସଂପତ୍ତିର ଯାଞ୍ଚ ପାଇଁ ଭୁବନେଶ୍ୱର, ଗଂଜାମ ସମେତ ୧୦ଟି ସ୍ଥାନରେ ଏକକାଳିନ ଚଢଉ କରିଥିଲା ଭିଜିଲାନ୍ସ। ବୌଦ୍ଧରେ ଭିଜିଲାନ୍ସର ଏକ ୧୦ ଜଣିଆ ଟିମ୍ ଆସି ପ୍ରାୟ ୭ରୁ ୮ ଘଣ୍ଟା ରହି ତଲାସି କରିଥିଲେ। ଚଢାଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହିତ ଟଙ୍କା ଜବତ କରିଥିଲେ। ଚଢାଉ ସମୟରେ ଓଡ଼ିଶା ସମେତ ବେଙ୍ଗାଲୁରୁରେ ଅନେକ ପ୍ଲଟ୍ ଥିବା ଜଣାପଡିଥିବା ବେଳେ ଭୁବନେଶ୍ୱରରେ ୨ ଫ୍ଲାଟ, ୨ଟି ବାଣିଜ୍ୟ ମଲ, ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ଦୁଇଟି ଫ୍ଲାଟ ପାଇଁ ୨ କୋଟି ୨୩ ଲକ୍ଷ ଟଙ୍କା ଆଗ୍ରୀମ ଦେଇଥିବା ଜଣାପଡିଛି । ଭଂଜନଗରଠାରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରଠାରେ ଥିବା ସଂପର୍କିୟ ଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଲେଭରେ ଫ୍ଲାଟ, ଶୈଳଶ୍ରୀ ବିହାର ୱେଷ୍ଟଏଣ୍ଡ ଆପାଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସିରେ ଥ୍ରୀ ବିଏଚକେ ଫ୍ଲାଟ, କଳାରାହାଙ୍ଗ ଜେଡ ୧ ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗ୍ୟାଲେରିଆରେ ଦୁଇଟି କମର୍ସିଆଲ ସପିଂ କଂପ୍ଲେକ୍ସ ଆଦି ଠାବ କରିଛି ଭିଜିଲାନ୍ସ।