ଢେଙ୍କାନାଳ: ଢେଙ୍କାନାଳ ଅବକାରୀ ଅଧିକାରୀ କ୍ରିଷ୍ଣା ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡିଥିବା କୁହାଯାଉଛି । ଗିରଫ ପରେ କୌର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗତକାଲି ୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଦେଉଳସାହି ରୋଡ଼ରେ ଧରିଥିଲା ଭିଜିଲାନ୍ସ । ଏକ ସ୍କର୍ପିଓ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁଯାୟୀ, କ୍ରିଷ୍ଣାଙ୍କର ୨ଟି ବହୁତଳ କୋଠା ରହିଥିବା ବେଳେ ୮ଟି ବହୁମୂଲ୍ୟ ଜାଗା, ୨ଟି ବେନାମୀ ୪ଚକିଆ ଗାଡ଼ି ଠାବ ହୋଇଛି । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି । ପୁରୀ କୁମ୍ଭାରପଡ଼ା ଠାରେ ୧୪ଶହ ବର୍ଗଫୁଟର ଏକ କୋଠା ରହିଛି । କଟକରେ ୪ଟି, ପୁରୀ ଓ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଛି । ଏହା ସହ ୨ଟି ବେନାମୀ ଗାଡ଼ି ମଧ୍ୟ ତାଙ୍କ ଠାରୁ ଠାବ ହୋଇଛି । ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସଞ୍ଜୟ ଅର୍ଥର ଛାନବିନ କରାଯାଉଛି । ଗତକାଲି ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା ।