ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଚାରି ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ଗଡ଼କରୀ । ଚାରୋଟି CRIF ବ୍ରିଜର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ , ଶ୍ରୀ ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାଳଚେରରୁ କାମାକ୍ଷାନଗର ଜାତୀୟ ରାଜପଥ-୧୪୯ ଓ ୫୩କୁ ୭୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୪୬ କୋଟି ଟଙ୍କାରେ ଅଣ୍ଡର ପାସ ନିର୍ମାଣ କରାଯିବ
୯୭୩ କୋଟି ଟଙ୍କା ବ୍ୟୟରେ ବଅଁରପାଳ-ଗୋଡିବନ୍ଧ ୪ ଲେନ୍ ନିର୍ମାଣ, ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଘାଟ ଅଂଶକୁ ୭୧୮ କୋଟି ଟଙ୍କାରେ ପ୍ରଶସ୍ତୀକରଣ, ମଙ୍ଗଳପୁରରୁ କୟାଁଙ୍ଗୋଲା ପର୍ଯ୍ୟନ୍ତ ୧୦ ନମ୍ବର ଜାତୀୟ ରାଜପଥକୁ ୩୭୪ କୋଟି ଟଙ୍କାରେ ପ୍ରଶସ୍ତୀକରଣ ଓ ଜରିମୁଳିକୁ ସଂଯୋଗ କରୁଥିବା ପୂଜାରୀପାଲ୍ଲୀ ଘାଟିରେ ମହାନଦୀ ଉପରେ ୨୭୩.୯୪ କୋଟି ଟଙ୍କାରେ ପୋଲ ନିର୍ମାଣ କରାଯିବ। ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପଣ୍ୟ ପରିବହନ ବ୍ୟବସ୍ଥାକୁ ସହଜ କରିବା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ। ନୂଆ ଭିତ୍ତିଭୂମି ପଦକ୍ଷେପ ସମେତ ସଡ଼କ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି।