ରିପୋଟର୍ସ ଟୁଡେ ବ୍ୟୁରୋ: ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ ତେବେ ମମତା ବାନାର୍ଜୀ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବା ଉଚିତ୍ ।
ଶତାବ୍ଦୀ କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପର୍ୟ୍ୟନ୍ତ ପହଞ୍ଚନ୍ତୁ । ଏଥିପାଇଁ ଆମର ଆଗାମୀ ପଦକ୍ଷେପ କିଛି ଭିନ୍ନ ହେବାକୁ ଯାଉଛି । ସ୍ୱପ୍ନ ଦେଖିବା ଓ ବଡ ଇଚ୍ଛା ରଖିବାରେ କୌଣସି ସମସ୍ୟା ନାହିଁ । ଏହାପୂର୍ବରୁ କଂଗ୍ରେସ ସଭାପତି ବିରୋଧୀ ଦଳ ବୈଠକରେ କହିଥିଲେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନୁହେଁ । ଆମେ ଜାଣିଛୁ ସମସ୍ତ ଦଳ ମଧ୍ୟରେ ମତଭେଦ ରହିଛି । କିନ୍ତୁ ଏହା ଏତେ ବଡ ପ୍ରସଙ୍ଗ ନୁହେଁ ଯେ ଯାହାକୁ ଏଡାଇଯାଇପାରିବନି । ସାଧାରଣ ଲୋକଙ୍କ ପାଇଁ, ମହଙ୍ଗା ମାଡରେ ହନ୍ତସନ୍ତ ହେଉଥିବା ମଧ୍ୟବିତ୍ତଙ୍କ ପାଇଁ, ବେକାରୀ ସମସ୍ୟାରେ ଯୁଝି ହେଉଥିବା ଯୁବକଯୁବତୀମାନଙ୍କ ପାଇଁ, ଗରିବଙ୍କ ପାଇଁ ଏଭଳି ମତଭେଦକୁ ପଛରେ ପକାଇ ଏକ ହୋଇ ଆଗକୁ ବଢ଼ିବା ଉଚିତ଼ ।
ବେଙ୍ଗାଲୁରୁରେ ହୋଇଥିବା ବୈଠକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ଯାଦବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ସହ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଘେରିଥିଲେ । ଲାଲୁ କହିଥିଲେ, ଯେତେବେଳେ ବିରୋଧୀ ଦଳ ମଧ୍ୟରେ ଏକତା ଆଣିବାକୁ ପ୍ରୟାସ କରାଯାଉଛି ସେତେବେଳେ ଅଧୀର କାହିଁକି ମମତାଙ୍କୁ ଟାର୍ଗେଟ କରୁଛନ୍ତି । ଏଭଳି ପ୍ରସଙ୍ଗକୁ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଉଠାଇଥିଲେ ଲାଲୁ ଯାଦବ ।