ଆଜ୍ଞାମାଳ ବିଜେ ଅନୁଷ୍ଠିତ ପରେ ସିଂହଦ୍ୱାର ସମ୍ମୁଖରେ ତିିନିରଥ

ପୁରୀ– ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତିନି ରଥରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ରୀତି ନୀତି ଅନୁଯାୟୀ , ମହାପ୍ରଭୁ ଗୋପାଳବଲ୍ଲଭ ଓ ସକାଳଧୂପ ସାଢେ ୮ ଟା ସୁଦ୍ଧା ଶେଷ ହୋଇଛି । ସକାଳ ୮ଟା ୪୫ରେ ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ। ପରେ ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ଏଣେ ଆଜିଠାରୁ ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବାକୁ ଯାଉଛି। ଆଜି ଅର୍ଥାତ୍ ୧୧ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ୟ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରଶାସନ ରୋକ୍ ଲଗାଇଛି।ସେହିପରି ଏହି ସମୟ ମଧ୍ୟରେ କୌଣସି ବାହାର ଲୋକ ସହର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଲଗାଇଥିବା ବେଳେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କର୍ଫ୍ୟୁ ସମୟରେ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ବି ରୋକ୍ ଲଗାଯାଇଛି।