ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ୟ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି ।ନୂଆ ଯୋଜନା “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ୟ୍ୟକାରୀ କରିବା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରାଯାଇଛି ।
ଗତ ୧୦ ତାରିଖ ଦିନ ଏହି ନୂଆ ଯୋଜନାକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ୍ । ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ।ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି, କୌଣସି ପୁରୁଣା ପ୍ରକଳ୍ପରେ ଏହି ଯୋଜନାର ଅର୍ଥ ଖର୍ଚ୍ଚ କରିହେବନି । ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ କରି ଏଥିରେ ଅର୍ଥ ଖର୍ଚ୍ଚ କରିବେ । ଅଢ଼େଇ ଲକ୍ଷ ଟଙ୍କାରୁ ନେଇ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୋଇପାରିବ ପ୍ରତି ପ୍ରକଳ୍ପରେ ।ଏ ଯୋଜନା ମନିଟରିଂ ପାଇଁ ଏକ ସ୍ୱତନ୍ତ୍ର ଆପ୍ ର ବିକାଶ କରାଯିବ । ପ୍ରତି ପ୍ରକଳ୍ପ ପୂର୍ବ, ପ୍ରକଳ୍ପ କାମ ଚାଲିବା ସମୟର ଓ ପ୍ରକଳ୍ପ ସରିବା ପରବର୍ତ୍ତୀ ସମୟର ଫଟୋ ଏଥିରେ ଅପଲୋଡ୍ ହେବ । ଏହାକୁ ଜିଆଇଏସ୍ ଟ୍ୟାଗିଂ ବି କରାଯିବ । ରାଜ୍ୟସ୍ତରରେ ମନିଟରିଂ ପାଇଁ ପଞ୍ଚାୟତିରାଜ ବିଭାଗ ଏକ ୱେବ୍ ବେସଡ୍ ମ୍ୟାନେଜମେଣ୍ଟ ଇନଫର୍ମମେସନ୍ ସିଷ୍ଟମ୍(ଏମଆଇଏସ୍) ରଖିବ ।ପଞ୍ଚାୟତ ଲୋକଙ୍କୁ ସହରୀ ସୁବିଧା ଦେବା ପାଇଁ ମଧ୍ୟ ଏ ଯୋଜନାରୁ ଟଙ୍କା ଦେଇ ହେବ ।‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ପଞ୍ଚାୟତ ପାଇଁ କେଉଁ କେଉଁ ପ୍ରକଳ୍ପ କରିହେବ ତାହା ଗାଁ ଲୋକେ ପ୍ରସ୍ତାବ ଦେବେ । ସେହିଭଳି ସରପଞ୍ଚଙ୍କ ସହ ଅନ୍ୟ ଜନପ୍ରତିନିଧି ଓ ଗୋଷ୍ଠୀ ସଂଗଠନଗୁଡ଼ିକ ଦେଇଥିବା ପ୍ରସ୍ତାବ ଆଧାରରେ ଯୋଜନା ହେବ । ବ୍ଲକ୍ସ୍ତରରେ ସବୁ ପଞ୍ଚାୟତର ପ୍ରକଳ୍ପ ତାଲିକା ପ୍ରସ୍ତୁତ ହେବ । ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦସ୍ତଖତ କରି ଅନୁମୋଦନ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇବେ । ଯେଉଁ ପ୍ରକଳ୍ପକୁ ଅନୁମୋଦନ ମିଳିବ ତାକୁ ବିଡିଓ ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନା କରିବେ । ପଞ୍ଚାୟତ ସମିତି ଏହି ଯୋଜନାକୁ କାର୍ୟ୍ୟକାରୀ କରିବ ।
ଜିଲ୍ଲାପାଳ ଏହି ଯୋଜନାକୁ ତଦାରଖ ଓ ମନିଟରିଂ କରିବେ । ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ଶୀଘ୍ର କାର୍ୟ୍ୟକାରୀ ହେଉଛି କି ନା ଜିଲ୍ଲାପାଳ ନିୟମିତ ବୈଠକ ଡାକି ତାର ସମୀକ୍ଷା କରିବେ । ଏ ଯୋଜନା ପାଇଁ ସମସ୍ତ ବ୍ଲକ୍ ଓ ଜିଲ୍ଲାରେ ଜଣେ ଲେଖାଏଁ ଏମଆଇଏସ୍ ଏକ୍ସପର୍ଟ ରହିବେ । ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ମଧ୍ୟ ଯୋଜନାର ମନିଟରିଂରେ ଜିଲ୍ଲାପାଳଙ୍କୁ ସହାୟତା କରିବେ । ଏହି ଯୋଜନା ପାଇଁ ମିଳିବାକୁ ଥିବା ଅର୍ଥ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ପିଏଲ୍ ଆକାଉଣ୍ଟକୁ ଯିବ ବୋଲି ଜଣା ପଡ଼ିଛି ।