ଆମର ଦାବି ଅଞ୍ଚଳ ମଦମୁକ୍ତ ହେଉ: ମଦ ମୁକ୍ତ ଅଞ୍ଚଳ ଦାବିରେ ଏକାଠି ହେଲେ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନୋରା ବ୍ଲକ ଅନ୍ତର୍ଗତ କେଲିଗୁଡ଼ା ପଞ୍ଚାୟତର ବତିଗୁଡ଼ା ଗ୍ରାମ ଠାରେ ମଦମୁକ୍ତ ଅଞ୍ଚଳ ଦାବୀରେ ତିନିଖଣ୍ଡ ଗ୍ରାମବାସୀ ଏକାଠି ହୋଇଛନ୍ତି।ରେବତିଗୁଡ଼ା ଗାଁ, ସହବିରିବାଡ଼ି ଓ ଏସ୍ପିତେସ୍ ଗାଁର ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମିଶି ଗାଁର ଆଖପାଖ ଅଞ୍ଚଳରେ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ଡ୍ରମ, ଜାର୍କିନ୍ କୋଲଡ୍ରିଙ୍କ ବୋତଲ ଓ ମଦକୁ ଜବତ କରିଥଲେ । ଏହିସବୁ ଜବତ ଜିନିଷ ଗାଁକୁ ଆଣି ସମସ୍ତେ ବସି ଏକ ବୈଠକ କରିବା ପରେ ମଦ ବିରୋଧରେ ସମସ୍ତେ ଏକ ହୋଇ ବିକ୍ଷୋଭ କରିବା ସହ ଜବତ ସାମଗ୍ରୀକୁ ଟାଙ୍ଗିଆରେ ହାଣି ଗାଁ ମୁଣ୍ଡକୁ ନେଇ ନିଆଁ ଲଗେଇ ଦେଇଥିଲେ ।

ଏହାସହ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏହି ଅଞ୍ଚଳକୁ ମଦମୁକ୍ତ କରିବା ଦାବିରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ମଦ ଯୋଗୁଁ ସମାଜ ଖରାପ ଦିଗକୁ ଗତି କରୁଛି । ଯେଉଁଥିରେ ସ୍ବାମୀ ମଦ ପି ଆସି ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଘଟଣା, ଏବଂ ପାଠପଢା ପିଲା ମଧ୍ୟ ପାଠ ପଢ଼ିବା ବୟସରେ ମଦ ପିଇବା ଅଭ୍ୟାସ କରୁଛନ୍ତି ଏହାଦ୍ବାରା ଅପରାଧ ମଧ୍ୟ ସମାଜରେ ଦିନକୁ ଦିନ ବଢ଼ିଚାଲିଛି ବୋଲି ଗ୍ରାମବାସୀ କହିଛନ୍ତି । ସେଥିପାଇଁ ଏକ ସୁସ୍ଥ ସମାଜ ଗଠନ ପାଇଁ ତାଙ୍କ ଗାଁ ପ୍ରଥମେ ମଦମୁକ୍ତ ହେଉ ବୋଲି ଏକାଠି ହୋଇଥିବା ଗ୍ରାମବାସୀ ଦାବିପତ୍ରରେ ଜଣେଇଛନ୍ତି । ପୂର୍ବରୁ ମଧ୍ୟ ଏହି ବିଷୟରେ ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଛି । କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରିନଥିବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଯଦି ପ୍ରଶାସନ ପୁଣିଥରେ ତାଙ୍କ ଦାବୀକୁ ନ ମାନନ୍ତି ତେବେ ଏପ୍ରିଲ୍ ୧ ଠାରୁ ଏଇ ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ୍ କରିବାକୁ ବାଧ୍ୟ ହେବୁ ବୋଲି ତିନିଖଣ୍ଡ ଗାଁର ମହିଳାମାନେ କହିଛନ୍ତି ।