ମାତ୍ର ୭ ହଜାର ଟଙ୍କା ଲାଞ୍ଚ ପାଇଁ ଚାକିରି ହରାଇଲେ ORS ଅଧିକାରୀ

ମାତ୍ର ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଚାକିରି ହରାଇଲେ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳର ଉପ-ନିବନ୍ଧକ ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୦ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୬ ତାରିଖରେ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମନୀଷା ମିଶ୍ରଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ପାନଚରୁଖି ଗ୍ରାମର ଜ୍ଞାନରଞ୍ଜନ ପାତ୍ର ନାମକ ଜଣେ ଅଭିଯୋଗକାରୀଙ୍କ ଜମି ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ସେ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ୦.୧୪ ଡିସିମିଲ୍ ଜମିର ପଞ୍ଜୀକରଣ ପାଇଁ ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିଲେ ମନୀଷା। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦେଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଥିଲା। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

May be an image of text

ଯୋଜନା ଅନୁସାରେ, ନଭେମ୍ବର ୬ ତାରିଖରେ ଅଫିସ୍ ଚାମ୍ବରରେ ୭ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ତାଙ୍କ ସହ ଜଡ଼ିତ ଠିକଣାରେ ଚଢ଼ାଉ ମଧ୍ୟ କରାଯାଇଥିଲା। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ନଭେମ୍ବର ୭ ତାରିଖରେ ମନୀଷା ମିଶ୍ରଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

ଅନ୍ୟପଟେ ମନୀଷା ମିଶ୍ର ୨୦୨୪ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଏବଂ ସେ ଏବେ ମଧ୍ୟ ପ୍ରୋବେସନ୍ ଅବଧିରେ ଥିଲେ। ତେଣୁ ORS ନିଯୁକ୍ତି ନିୟମ ଅନୁଯାୟୀ ସରକାର ତାଙ୍କ ଚାକିରିକୁ ତୁରନ୍ତ ପ୍ରଭାବରୁ ସମାପ୍ତ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମାରେ ଏହି ଅଭିଯୋଗକୁ ଗୁରୁତର ଦୁର୍ବ୍ୟବହାର ଏବଂ ସରକାରୀ କର୍ମଚାରୀଙ୍କ ଆଚରଣ ନିୟମର ଉଲ୍ଲଂଘନ ବୋଲି ଦର୍ଶାଯାଇଛି। ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଚାକିରିରେ ଆଉ ରଖିବା ଉଚିତ୍ ନୁହେଁ ବୋଲି ନିଯୁକ୍ତି କର୍ତ୍ତୃପକ୍ଷ ମତ ଦେଇଛନ୍ତି। ୭ ହଜାର ଟଙ୍କାର ଲାଞ୍ଚ ଅଭିଯୋଗରୁ ଆରମ୍ଭ ହୋଇଥିବା ଏହି ଘଟଣା ଶେଷରେ ଜଣେ ORS ଅଧିକାରୀଙ୍କ ଚାକିରି ଯିବାର କାରଣ ପାଲଟିଛି। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାରେ।