ପୁରୀ : ଗୋଟିଏ ଦିନରେ ତିନି ତିନିଟି ଅଜଣା ମୃତ ଶବକୁ ଜବତ କରିଛି ପୁରୀ ପୋଲିସ । ଖବର ନେବାରେ ଜଣା ପଡ଼ିଛି ଯେ ଆଜି ସକାଳେ ନରେନ୍ଦ୍ର ପୋଖରୀ କୂଳରେ ଜଣେ ବ୍ୟକ୍ତି ପଡିଥିବାର କିଛି ଲୋକ ଦେଖି କୁମ୍ଭାରପଡ଼ା ଥାନା କୁ ଖବର ଦେଇଥିଲେ । କୁମ୍ଭାରପଡ଼ା ଥାନା ପୋଲିସ ସେଠାରେ ପହଞ୍ଚି ବ୍ୟକ୍ତିଟିକୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ସେଠାରେ ଡାକ୍ତର ବ୍ୟକ୍ତିଟିର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମୃତ ଘୋଷଣା କରିଥିବା ବେଳେ ସେହିପରି ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ଅସଂଜତ ଅବସ୍ଥାରେ ପଡିଥିବାର କିଛି ଲୋକ ଦେଖିଥିଲେ । ତାକୁ ଚିକିତ୍ସା ନିମନ୍ତେ ମେଡିକାଲକୁ ଆଣିଥିଲେ ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ସେହିପରି ସମୁଦ୍ର କୁଳରୁ ଜଣେ ଅଜଣା ବ୍ୟକ୍ତିର ମୃତ ଦେହକୁ ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ । ତେଣୁ ଗୋଟିଏ ଦିନରେ ୩ ଟି ମୃତ ଦେହ ମିଳିଥିବା ବେଳେ ଖବର ଲେଖାଯିବା ପର୍ୟ୍ୟନ୍ତ ସେମାନଙ୍କର କୌଣସି ପରିଚୟ ମିଳିପାରି ନାହିଁ । ତେଣୁ ଏମାନେ କିଏ କେଉଁଠୁ ଆସିଥିଲେ ,କିପରି ମରିଲେ ଅବା ତାଙ୍କୁ କିଏ ମାରିକି ଫୋପାଡି ଦେଇଛି ତାହା ଏବେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ।