ଆଜିଠୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଏଥିପାଇଁ ଓଡ଼ିଶା ସମେତ ୪ଟି ରାଜ୍ୟରେ ହୋଇଛି ୬୫ଟି ପରୀକ୍ଷା କେନ୍ଦ୍ର । ଦିନକୁ ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ରୁ ୬ଟା ପର୍ୟ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା । ସେହିପରି ରାଜ୍ୟର ୩୦ଟି ଜିଲ୍ଲା ସହ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । ଏଥର ମଧ୍ୟ କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି । କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ମୋଡ଼ରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା କରିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେଇଛି ଓଜେଇଇ । ଏଥର ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି.ଫାର୍ମାରେ ୧୨ ହଜାର ୨୨୯ ଜଣ ଓ ଏମବିଏରେ ୧୦ ହଜାର ୬୭୪ ଜଣ ଆବେଦନ କରିଛନ୍ତି । ସେହିପରି ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ ।