ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ ଶେଷ ହୋଇଛି। କୋଭିଡ କଟକଣାରେ ଚଳିତ ମୌସୁମୀ ଅଧିବେଶନ ଚାଲିବ ବୋଲି ନୂଆ ବାଚସ୍ପତ୍ତି ବିକ୍ରମ କେଶରୀ ଆରୁଖ କହିଛନ୍ତି। ନୂଆ ବାଚସ୍ପତି ଶ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇଛନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଗଣତନ୍ତ୍ରରେ ଏହା ଏକ ଚମତ୍କାର ଦୃଶ୍ୟ, ସେପଟେ ଏଥର ବିଧାନସଭା ଅଧିବେଶନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କାରଣ ବଜେଟ୍ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତନ କରିଛନ୍ତି। ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ପୂର୍ବରୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମ ଚଳା ବଜେଟ୍ ବା ଲେଖାନୁଦାନ ଆଗତ କରିଥିଲେ ଅର୍ଥମନ୍ତ୍ରୀ। ଏଥର ବିଧାନସଭାର ଅଧିବେଶନ ୨ଟି ପର୍ୟ୍ୟାୟରେ ଚାଲିବ। ଦିନ ୧୦.୩୦ରୁ ସାଢେ ଗୋଟାଏ ଯାଏଁ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏଁ ଚାଲିବ ଗୃହ। କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି। ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ୟ୍ୟ। ଏଥର ଅଧିବେଶନରେ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛଡାଯିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଛନ୍ତି।