ବିଦ୍ୟୁତ ବିତରଣ ଦାୟିତ୍ବ ନେଲା ଟାଟା ପାୱାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭାରତର ସମନ୍ୱିତ ୟୁଟିଲିଟି ‘ଟାଟା ପାୱାର’ ଓଡ଼ିଶାର ପାଞ୍ଚିଟି ସର୍କଲ୍‌ରେ ବିଦ୍ୟୁତ ବିତରଣ କରିବ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ନିର୍ଦ୍ଦେଶ ମୁତାବକ ଆଜି ‘ଟାଟା ପାୱାର’ ସେସୁ ଠାରୁ ପରିଚାଳନା ଭାର ନେଇଛି। ଗ୍ରିଡ୍‌କୋ ଫାଇନାନ୍ସ ଆଣ୍ଡ କର୍ପୋରେଟ୍‌ ଆଫାୟାର୍ସ ପରିଚାଳକ ଗଗନ ସ୍ବାଇଁଙ୍କ ଠାରୁ ଟାଟା ପାୱାର ଏମ୍‌ଡି ତଥା ସିଇଓ ପ୍ରବୀର ସିହ୍ନା ଏହି ଦୟିତ୍ବ ଗ୍ରହଣ କରିଛନ୍ତି। ୫୧ ପ୍ରତିଶତ ଇକ୍ୱିଟି ଅଂଶଧନ ଟାଟା ପାୱାର ହାସଲ କରିଛି। ଏହାଛଡ଼ା ଟାଟା ପାୱାର ଆଜିଠାରୁ ସମସ୍ତ ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛି। ଟାଟା ପାୱାର ସେସୁର ସମସ୍ତ କର୍ମଚାରୀଙ୍କୁ ରଖିବା ସହ ଶତ ପ୍ରତିଶତ ବିଲିଂ ନିଶ୍ଚିତ କରିବ। ଆଗାମୀ ୫ ବର୍ଷରେ ୫୪୦ କୋଟି ପୁଞ୍ଜି ନିବେଶ କରିବ। ଏକ ଡିଜିଟାଲ ତଥା ଉନ୍ନତ ପ୍ଲାଟ୍‌ଫର୍ମରେ ଉପଭୋକ୍ତାଙ୍କ ଅଭିଯୋଗ ଶୁଣାଯିବା ସହ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରତ୍ୟେକ ଦୁର୍ବଳ ଟ୍ରାନ୍‌ସ୍‌ଫର୍ମରକୁ ଅଗ୍ରାଧିକାର ଭିତ୍ତିରେ ଉନ୍ନତ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ପାଖାପାଖି ୬ ଲକ୍ଷ ତ୍ରୁଟିଯୁକ୍ତ ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରାଯିବ। ଉପଭୋକ୍ତାଙ୍କଠାରୁ ବିଲ୍‌ ଦେୟ ଆଦାୟ କରିବା ପାଇଁ ସୁନ୍ଦର ଇନ୍‌ସେଣ୍ଟିଭ୍‌ ବ୍ୟବସ୍ଥା କରାଯିବ। ଏଟି ଆଣ୍ଡ ସି କ୍ଷତିକୁ ୫ ବର୍ଷ ମଧ୍ୟରେ ଶୂନ ସ୍ତରକୁ ଅଣାଯିବ। ସର୍ବୋପରି ଉତ୍କୃଷ୍ଟ ଗ୍ରାହକ ସେବା ଟାଟା ପାୱାରର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ସଂସ୍ଥାର ଏମ୍‌ଡି ତଥା ସିଇଓ ପ୍ରବୀର ସିହ୍ନା ସୂଚନା ଦେଇଛନ୍ତି ।

ଟାଟା ପାୱାର ୨୫ ବର୍ଷ ପାଇଁ ଏହି ସ୍ବୀକୃତି ହାସଲ କରିଛି। ଭୁବନେଶ୍ୱର ବିଦ୍ୟୁତ ସର୍କଲ (୧ ଓ ୨), କଟକ, ପାରାଦୀପ ଓ ଢେଙ୍କାନାଳ ଭଳି ପାଂଚଟି ସ୍ଥାନର ୩୦,୦୦୦ ବର୍ଗ କିଲୋମିଟରରୁ ଅଧିକ ପରିବ୍ୟାପ୍ତ ଅଂଚଳରେ ସଂସ୍ଥା ବଦ୍ୟୁତ ବିତରଣ ଦାୟିତ୍ବ ନେବ। ଏହି ଅଞ୍ଚଳରେ ୧.୪ କୋଟି ଜନସଂଖ୍ୟା ଥିବା ବେଳେ ୨୫ ଲକ୍ଷ ଗ୍ରାହକ ରହିଛନ୍ତି । ଏହି ଗ୍ରାହକ ସଂଖ୍ୟାକୁ ୫୦ ଲକ୍ଷରେ ପହଞ୍ଚାଇବାକୁ ସଂସ୍ଥା ଲକ୍ଷ୍ୟ ରଖିଛି। ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍‌ରେ ଏହି ସଂଖ୍ୟା ୨୫ ଲକ୍ଷ ରହିଛି। ସେସୁର ହାରାହାରି ଚାହିଦା ୧୩୦୦ ମେଗାୱାଟ୍‌ ରହିଥିବା ବେଳେ ବାର୍ଷିକ ଇନପୁଟ୍‌ ଶକ୍ତି ହେଉଛି । ୮୪୦୦ ଏମ୍‌ୟୁ। ଦିଲ୍ଲୀ ଓ ଆଜମେର୍‌ରେ ଟାଟା ପାୱାର ପକ୍ଷରୁ ଏଟି ଆଣ୍ଡ୍‌ ସି କ୍ଷତିକୁ ଆଶାତୀତ ଭାବରେ କମ୍‌ କରାଯାଇ ପାରିଛି ।