କଳାହାଣ୍ଡି–କନ୍ଧମାଳ–ରାୟଗଡ଼ା ସୀମାନ୍ତ ଅଞ୍ଚଳରେ ଲୁଚିଥିବା ମାଓବାଦୀ ଜୋନାଲ କମାଣ୍ଡର ଶୁକ୍ରୁକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେ ଦୀର୍ଘଦିନ ଧରି ସୀମାନ୍ତ ଅଞ୍ଚଳରେ ଲୁଚି ଲୁଚି ରହି ଜିଲ୍ଲା ପୋଲିସକୁ ଚକମା ଦେଉଥିଲା। ପୋଲିସ ପକ୍ଷରୁ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କୁ ଧରିବାକୁ ଟାର୍ଗେଟ୍ ରଖାଯାଇଥିଲା। ଶୁକ୍ରୁ ଉପରେ ନିକଟତମ ସମୟରେ ଜଣେ ସାଥୀ ମାଓବାଦୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା କରିଥିବାରୁ ସେ ଆରୋପରେ ଥିଲା।
ସେ ସାଥୀ କମାଣ୍ଡର ଅନ୍ୱେଷକୁ ଗଳା କାଟି ହତ୍ୟା କରି ପୋତିଦେଇଥିବା ମଧ୍ୟ ଜଣାପଡ଼ିଛି। ଶୁକ୍ରୁର ଘର ମାଲକାନଗିରି ଜିଲ୍ଲାରେ ଥିବା ବେଳେ ସେ କନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲା। ସେ “ଏଇଟ୍ଥ କମ୍ପାନୀ” ନାମରେ ନୂତନ ଗଠନ ଚଳାଉଥିଲା। ଶୁକ୍ରୁକୁ ଧରାଇବା ପାଇଁ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ତାଙ୍କ ଗିରଫ ପରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ଉପରେ ଭାରି ଆଘାତ ପଡ଼ିଥିବା ବୋଲି କୁହାଯାଉଛି। ଆଣ୍ଟି ନକ୍ସଲ ଅପରେସନର ଏଡିଜି Sanjib Panda କହିଛନ୍ତି ଯେ, ଏହା ପୋଲିସ ପାଇଁ ଏକ ବଡ଼ ସଫଳତା ଓ ମାଓମୁକ୍ତ ଭାରତ ଲକ୍ଷ୍ୟ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।