ଭୁବନେଶ୍ୱର:- ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା ପ୍ରଦାନ କରାଯିବ । ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ । ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳ ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏପ୍ରିଲ୍ ୨୩ରୁ ମେ’ ୫ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟିରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।
ପିଏମ୍ ପୋଷଣ ନୋଡାଲ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଜିଲ୍ଲା ସ୍ତରରୁ ତଥ୍ୟ ଲୋଡ଼ିଥିଲେ। ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ୧୧ ଦିନର ଚାଉଳ ସହ ରନ୍ଧନ ବାବଦ ଅର୍ଥ ଛାତ୍ରୀଛାତ୍ରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍ରେ ପ୍ରଦାନ କରାଯିବ।