ଭୁବନେଶ୍ଵର: ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୩ରୁ ୪ ଦିନ ଭିତରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡିଶା, ଝାଡଖଣ୍ଡ ଓ ପୂର୍ବ ମଧ୍ୟପ୍ରଦେଶ ଆଡକୁ ଗତି କରିବାର ସମ୍ଭାବନା ରହିଛି ।
ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତାସହ ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୬ ତାରିଖ ଉପକୂଳ ଓଡିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣର ଅନେକ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୭ରୁ ବର୍ଷାର ପ୍ରକୋପ କମିବାକୁ ଥିବା ବେଳେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମଡି ଆକଳନ କରିଛି ।