ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’

ନୂଆପଡ଼ା: ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ । ମହିଳାଙ୍କୁ ଅପମାନିତ କରି ଉଚିତ ଶିକ୍ଷା ପାଇଲା ୧ ନଂ କହୁଥିବା ଦଳ । ସୁବର୍ଣ୍ଣ ଲଙ୍କା ଶ୍ରୀହିନ ଓ କୁରୁବଂଶ ଧ୍ୱଂସ କହି କଟାକ୍ଷ କଲେ ଶ୍ରୀମୟୀ । ଅହଂକାର ପାଇଁ ଶୋଚନୀୟ ପରାଜୟ ନିଶ୍ଚିତ ବୋଲି କହିଛନ୍ତି ଶ୍ରୀମୟୀ । ତେବେ ନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ କରିଛନ୍ତି। ଯାହା ନିର୍ବାଚନ ଫଳାଫଳର ଟ୍ରେଣ୍ଡ କହୁଛି । ଶୋଚନୀୟ ପରାଜୟ ନିଶ୍ଚିତ। ମହିଳାଙ୍କୁ ଅପମାନିତ କରି ମହାପ୍ରତାପୀ ରାବଣର ସୁବର୍ଣ୍ଣ ଲଙ୍କା ଶ୍ରୀହୀନ ହେଲା । କୁରୁବଂଶ ଧ୍ବଂସ ହେଲା । ଏବେ ସେହି ମାର୍ଗରେ ଓଡ଼ିଶାର ଏକ ନମ୍ବର ବୋଲାଉଥିବା ରାଜନୀତିକ ଦଳ। ମହିଳାମାନେ ଉଚିତ୍ ଶିକ୍ଷା ଦେଲେ ବୋଲି କହିଛନ୍ତି ଶ୍ରୀମୟୀ ।

ପୁଣି ଥରେ ଭଣ୍ଡ ସନ୍ୟାସୀର ନାଁ ନେଇ ଟାର୍ଗେଟ୍ କଲେ ଶ୍ରୀମୟୀ । ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ ।  ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ ବୋଲି କହିଛନ୍ତି ଶ୍ରୀମୟୀ ।

ସେ ଆହୁରି କହିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ । ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ । ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ ? ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ ବୋଲି ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।