( ମମତା ସାମଲ): ବାହା ହେବେ ଭାରତର ବ୍ୟାଡମିଣ୍ଟନ କୁଇନ ସାଇନା ନେହୱାଲ । ଚଳିତ ବର୍ଷ ଶେଷ ଆଡକୁ ସେ ବ୍ୟାଡ ମିଣ୍ଟନ ଷ୍ଟାର ପାରପଲ୍ଲୀ କଶ୍ୟପଙ୍କୁ ବିବାହ କରିବେ । ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୬ ତାରିଖରେ ସେମାନଙ୍କ ବିବାହ ହେବ। ଡିସେମ୍ବର ୨୧ ତାରିଖରେ ଦୁହେଁ ଭୋଜି ଦେବେ।
ମିଳିଥିବା ସୂଚନା ଅନୁଯାୟୀ, ବାହାଘରରେ ଉଭୟଙ୍କ ପରିବାର ଲୋକଙ୍କ ସହିତ ପ୍ରାୟ ୧୦୦ ଜଣ ବନ୍ଧୁବାନ୍ଧବ ଉପସ୍ଥିତ ରହିବେ। ଉଭୟ ସାଇନା ଓ କଶ୍ୟପ ହାଇଦ୍ରାବାଦ୍ରେ ରହନ୍ତି। ଦଶରୁ ଅଧିକ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ତେବେ ସେମାନେ ଖୋଲାଖୋଲି ଏହାକୁ କେବେ ଗ୍ରହଣ କରି ନଥିଲେ କି ମନା ମଧ୍ୟ କରି ନଥିଲେ। ୨୦୦୫ରେ ଗୋପୀଚାନ୍ଦଙ୍କ ଅଧୀନରେ ପ୍ରଶିକ୍ଷଣ ଆରମ୍ଭ କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା।

ସାଇନାଙ୍କୁ ୨୮ ବର୍ଷ ହୋଇଥିବା ବେଳେ କଶ୍ୟପଙ୍କୁ ୩୨ ବର୍ଷ ହୋଇଛି। ଜଣେ ଖେଳାଳି ଆଉ ଜଣେ ଖେଳାଳିଙ୍କୁ ବାହା ହେବା କିଛି ନୂଆ କଥା ନୁହେଁ। ନିକଟ ଅତୀତରେ ଦୀପିକା ପାଲିକଲ୍-ଦୀନେଶ କାର୍ତ୍ତିକ, ଇଶାନ୍ତ ଶର୍ମା-ପ୍ରତିମା ସିଂହ, ଗୀତା ଫୋଗତ-ପବନ କୁମାର ଓ ସାକ୍ଷୀ ମଲ୍ଲିକ-ସତ୍ୟୱର୍ତ କାଡ଼ିଆନ୍ ବିବାହ କରିଥିଲେ।
କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୩ରେ ସେ ବିଶ୍ୱ ମାନ୍ୟତାର ୬ ନମ୍ବରରେ ରହିଥିଲେ।୨୦୧୫ରେ ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନ ହାସଲ କରିଥିବା ସାଇନା ୨୦୧୦ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଅଲିମ୍ପିକ୍ରେ ସାଇନା ବ୍ରୋଞ୍ଜ ପଦକ ଜିତିଥିଲେ।