ବେସରକାରୀ ପ୍ରାଥମିକ ସ୍କୁଲ ପାଇଁ ବଦଳିଲା ନିୟମ, ନୂଆ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର: ରାଜ୍ୟରେ ବେସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (Private Elementary Schools) ପ୍ରତିଷ୍ଠା ଓ ଅନୁମତି ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଶିକ୍ଷା ଅଧିନିୟମ ୧୯୬୯ ଏବଂ ଶିକ୍ଷା ଅଧିକାର ଆଇନ (RCFCE Act, 2009) ଅନୁଯାୟୀ ସରକାର ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ମୁତାବକ, ରାଜ୍ୟର କୌଣସି ବି ମାଧ୍ୟମର (Medium of Instruction) ବେସରକାରୀ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କଠାରୁ ‘ଓପନିଂ ପର୍ମିସନ’ ଏବଂ ‘ସାର୍ଟିଫିକେଟ୍ ଅଫ୍ ରେକୋଗ୍ନିସନ୍’ ନେବା ବାଧ୍ୟତାମୂଳକ। ଏହା ବିନା କୌଣସି ସ୍କୁଲ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ।

ସ୍କୁଲ ଖୋଲିବା ପାଇଁ ଥିବା ପ୍ରମୁଖ ସର୍ତ୍ତାବଳୀ:

୧. ଆବେଦନକାରୀ ଅନୁଷ୍ଠାନ କିମ୍ବା ସଂଗଠନ ‘ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦’ କିମ୍ବା ‘ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ’ ଅଧୀନରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

୨. ପ୍ରସ୍ତାବିତ ବିଦ୍ୟାଳୟ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ ଅନୁଯାୟୀ ପରିଚାଳିତ ହେବ।

୩. ବିଦ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନରେ ପର୍ଯ୍ୟାପ୍ତ ଜମି, ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ ସହ ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ଖେଳପଡ଼ିଆ ଏବଂ ର‍୍ୟାମ୍ପ୍ (Ramps) ଭଳି ସମସ୍ତ ମୌଳିକ ସୁବିଧା ଥିବା ଆବଶ୍ୟକ।

୪. ସରକାରୀ ନିୟମ ଅନୁଯାୟୀ କେବଳ ଯୋଗ୍ୟ ଓ ତାଲିମପ୍ରାପ୍ତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ।

୫. ନୂଆ ନିୟମ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମତି ସକାଶେ ‘ଏସେନସିଆଲିଟି ସାର୍ଟିଫିକେଟ୍’ (Essentiality Certificate) ଦାଖଲ କରିବା ଆଉ ବାଧ୍ୟତାମୂଳକ ନୁହେଁ।

ଆବେଦନ ପରେ ଶିକ୍ଷା ବିଭାଗର ଅନୁମୋଦନ କ୍ରମେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା ପୂର୍ବରୁ ଅନୁମତି ପତ୍ର ଜାରି କରିବେ। ବିଦ୍ୟାଳୟଗୁଡ଼ିକ ନିୟମ ମାନୁଛନ୍ତି କି ନାହିଁ, ତାହା ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କ ଦ୍ୱାରା ସମୟାନୁସାରେ ଆକସ୍ମିକ ଯାଞ୍ଚ (Periodic Inspection) କରାଯିବ। ନିୟମ ଉଲ୍ଲଂଘନ କଲେ ସ୍କୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।