OMSA ସହ ଆଲୋଚନା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅନ୍ତ ଘଟିବାକୁ ଯାଉଛି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ବା ‘ଓମସା’ (OMSA) ର ବିଭିନ୍ନ ଦାବି ଏବଂ ଆନ୍ଦୋଳନ ପ୍ରେକ୍ଷାପଟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓମସା କର୍ମକର୍ତ୍ତାଙ୍କୁ ସିଧାସଳଖ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସରକାରୀ ଚିଠି ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୪ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ବୈଠକ ବସିବାକୁ ସ୍ଥିର ହୋଇଛି। ଯେଉଁଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଓମସାର ରାଜ୍ୟ କାର୍ଯ୍ୟକାରିଣୀ ପ୍ରତିନିଧି ଦଳ ସହ ଆଲୋଚନା କରିବେ। ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଉପରେ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ।

ସରକାରୀ ସୂଚନା ମୁତାବକ, ଡାକ୍ତର ସଂଘର ସମସ୍ତ ଦାବିକୁ ସରକାର ସହାନୁଭୂତିର ସହ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ରାଜ୍ୟର ସାଧାରଣ ଜନତା ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ତୁରନ୍ତ ଡାକ୍ତରୀ ସେବା ବା ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରି ବୈଠକରେ ଯୋଗଦେବାକୁ ଚିଠି ଜରିଆରେ ଡାକ୍ତର ସଂଘକୁ ଅନୁରୋଧ କରାଯାଇଛି। ଏବେ ଦେଖିବାକୁ ବାକି ରହିଲା, ଆସନ୍ତାକାଲିର ଏହି ହାଇ-ପ୍ରୋଫାଇଲ୍ ବୈଠକ ପରେ ଓମସା ଏବଂ ସରକାରଙ୍କ ମଧ୍ୟରେ ଥିବା ବିବାଦର ସମ୍ପୂର୍ଣ୍ଣ ସମାଧାନ ହେଉଛି କି ନାହିଁ।