ସୁଧୁରୁଛି ନେପାଳ ସ୍ଥିତି: ବିକ୍ଷୋଭକାରୀଙ୍କୁ କାଠମାଣ୍ଡୁ ମେୟରଙ୍କ ଅପିଲ୍

କାଠମାଣ୍ଡୁ: ସୁଧୁରୁଛି ନେପାଳ ସ୍ଥିତି । ଆଉ ଏହାରି ଭିତରେ ବିକ୍ଷୋଭକାରୀଙ୍କୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର । ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ । ଦେଶ ଏବେ ସ୍ବର୍ଣ୍ଣିମ ଭବିଷ୍ୟତ ଆଡ଼କୁ ଗତି କରୁଛି । ତେଣୁ ଭୟଭୀତ ନ ହୋଇ ଧୈର୍ଯ୍ୟ ରଖିବାକୁ ହେବ । ପୂର୍ବତନ ମୁଖ୍ୟ ବିଚାରପତି ସୁଶିଲା କାର୍କିଙ୍କୁ ଏହି ଅସ୍ଥାୟୀ/ନିର୍ବାଚନୀ ସରକାରର ନେତୃତ୍ୱ ଦେବା ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି। ଆପଣଙ୍କର ଦୃଷ୍ଟିକୋଣ ଓ ଏକତାକୁ ମୁଁ ସତ୍‍ସ୍ୱରୂପ ସମ୍ମାନ କରୁଛି। ଏହା ଦର୍ଶାଇବ, ଆପଣମାନେ କେତେ ପରିପକ୍ବ। ଯେଉଁମାନେ ଏବେର ନେତୃତ୍ୱ ନେବା ପାଇଁ ଆତୁର, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଦେଶକୁ ଆପଣଙ୍କର ଉତ୍ସାହ, ଚିନ୍ତାଧାରା ଓ ସତ୍ୟନିଷ୍ଠା ସ୍ଥାୟୀଭାବରେ ଆବଶ୍ୟକ, ଅସ୍ଥାୟୀ ଭାବରେ ନୁହେଁ। ସେଥିପାଇଁ ନିର୍ବାଚନ ହେବ। ଦୟାକରି ଆତୁର ହୁଅନ୍ତୁ ନାହିଁ।

ଅନ୍ୟପଟେ ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସେ କହିଛନ୍ତି, ଜେନ୍-ଜେଡ୍ ଆଣିଥିବା ଐତିହାସିକ ବିପ୍ଲବକୁ ସୁରକ୍ଷା କରିବା ପାଇଁ, ଏକ ଅସ୍ଥାୟୀ ସରକାର ଗଠନ କରାଯାଇ ପାର୍ଲାମେଣ୍ଟକୁ ବିଲୋପ କରାଯିବା ଅତ୍ୟାବଶ୍ୟକ। କହିରଖୁଛୁ ଯେ, ବାଲେନ୍ ଶାହ କାଠମାଣ୍ଡୁର ମେୟର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ନେପାଳ ଯୁବକଙ୍କ ପ୍ରିୟ ନେତା ବାଲେନ୍ । ଦେଶର ସବୁ ମେୟରଙ୍କଠାରୁ ପୂରା ଭିନ୍ନ ବାଲେନ୍ । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଖୁବ୍ ଦବଦବା । ସିଭିଲ୍ ଇଞ୍ଜିନିୟରିଂ ସ୍ନାତକ ବାଲେନ୍ ଶାହ ଜଣେ ରାପର୍ ମଧ୍ୟ । ସେ ୨୦୨୨ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କାଠମାଣ୍ଡୁରେ ମେୟର ନିର୍ବାଚନରେ ​​ବିଜୟୀ ହୋଇଥିଲେ । ସବୁ ନେତା ଚୋର । ସେମାନେ ଦେଶକୁ ଲୁଟୁଛନ୍ତି, ଦେଶକୁ ଖାଇଯାଉଛନ୍ତି ବୋଲି ଦିନେ ଗୀତରେ ଗୀତରେ ଗାଇଥିଲେ ବାଲେନ ଶାହ । ଦୁର୍ନୀତି, ଅନ୍ୟାୟ, ଅସମାନତା ବିରୋଧରେ ସବୁବେଳେ ଗୀତ ମାଧ୍ୟମରେ ସ୍ୱର ଉଠାଉଥିଲେ । ଯୁବଗୋଷ୍ଠୀ ହିଁ ପରିବର୍ତ୍ତନ କରିପାରିବେ ବୋଲି କହୁଥିଲେ ।