ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି ପାକିସ୍ତାନ୍

ପାକିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପରେ ନିଆଁ ଲଗାଇଲେ ଆତଙ୍କବାଦୀ । ଅପହରଣ ପାଇଁ ବେଲୁଚି ଲିବରେସନ ଆର୍ମି ନିଜକୁ ଦାୟୀ କରିଥିବା ବେଳେ ପାକ୍ ଟ୍ରେନ୍ ହାଇଜାକକୁ ନେଇ ଭାରତ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ପାକିସ୍ତାନ । ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି ପାକିସ୍ତାନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ପରାମର୍ଶଦାତା ରାଣା ସାନାଉଲ୍ଲା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ବିଦ୍ରୋହିଙ୍କ କବଳରୁ ଯାତ୍ରୀଙ୍କୁ ବଞ୍ଚାଇବାର ବିଫଳତାକୁ ଲୁଚାଇବା ପାଇଁ ଭିତ୍ତିହୀନ ଅଭିଯୋଗ ଆଣିଛି ପାକିସ୍ତାନ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି, ବିଏଲଏ ଦ୍ୱାରା ଭାରତ ଟ୍ରେନ୍ ହାଇଜାକ୍ କରିଛି । ବଲୁଚ ବିଦ୍ରୋହିଙ୍କୁ ଭାରତ ସମର୍ଥନ କରୁଛି । ପାକିସ୍ତାନ୍ ନ୍ୟୁଜ୍ ଚ୍ୟାନେଲ୍ ଡନକୁ ଏକ ସାକ୍ଷାତକାରରେ ଏପରି କହିଛନ୍ତି ରାଣା ସାନାଉଲ୍ଲା । ସେ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ କି, ଭାରତ ବିଏଲଏ ଆର୍ମି ଦ୍ୱାରା ଏପରି କରୁଛି ବୋଲି । ଆଫଗାନିସ୍ତାନରୁ ଭାରତ ଏହାକୁ ଅପରେଟ୍ କରୁଛି । ଏହା କୌଣସି ରାଜନୈତିକ ମାମଲା ନୁହେଁ । ବଲୁଚ ବିଦ୍ରୋହୀଙ୍କର ବି ଏହା ପଛରେ କୌଣସି ରାଜନୈତିକ ଏଜେଣ୍ଡା ନାହିଁ । କେବଳ ଲୋକଙ୍କୁ ହତ୍ୟା କରିବା ଏହା ପଛର ମୁଖ୍ୟ କାରଣ ରହିଛି ।

ତେବେ କହିି ରଖୁଛୁ କି ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଚାହୁଁଥିବା ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ ବିବୃତ୍ତିରେ କହିଛି ଯେ ଏହା ଏକ ଟ୍ରେନ୍ ନିୟନ୍ତ୍ରଣ କରିଥିଲା ଏବଂ ଶହ ଶହ ଯାତ୍ରୀଙ୍କୁ ବନ୍ଧକ ରଖିଥିଲା। ବାଲୁଚ୍ ଲିବରେସନ୍ ଆର୍ମି ର ମୁଖପାତ୍ର ଜିୟାନ୍ଦ ବାଲୋଚ୍ଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବିବୃତ୍ତିରେ କହିଛି ଯେ ଯଦି ପାକିସ୍ତାନୀ ସେନା କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରେ ତେବେ ବନ୍ଧକମାନଙ୍କୁ ହତ୍ୟା କରାଯିବ।