ଅବପାତର ରୂପନେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ଆଣିପାରେ ବନ୍ୟା

ଭୁବନେଶ୍ଵର: ଅବପାତର ରୂପନେଲା ସ୍ପଷ୍ଟଚିହ୍ନିତ ଲଘୁଚାପ। ଦକ୍ଷିଣପୂର୍ବ ଗାଙ୍ଗେୟ ଉପତ୍ୟକା ଓ ପାଶ୍ୱର୍ବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ ଅବପାତ ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ଓଡିଶାକୁ ରେଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବ୍ରଜପାତ ସହ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ କାରି କରିଛି ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ଥିବାରୁ ୨୪ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି ।

ତେବେ ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି IMD । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହି ଅବପାତରେ ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ । ଆଜି ଉତ୍ତର ଓଡ଼ିଶା, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବ । ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ମଧ୍ୟ ବର୍ଷା ହେବ । ଉପକୂଳରେ ପାରାଦୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ । ସମୁଦ୍ର ଅଶାନ୍ତ ରହିଛି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା । ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କିମି ବେଗରେ ପବନ ସମ୍ଭାବନା ରହିଛି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।