ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ କୁସୁମ ଟେଟେ

ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର | ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା | ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ । ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି । ଏପରିକି ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ଯ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ଗୃହରେ ମନ୍ତ୍ରୀ କହିଛନ୍ତି, ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ଗୋପାଳ । ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଥିଲେ । ନିଜ ଚାକିରି କାଳ ଭିତରେ ସଫଳ କାର୍ଯ୍ୟ ପାଇଁ ଗୋପାଳ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି ।