ନୂତନ ସୁଆର ମହାସୁଆର ନିର୍ବାଚନ,କାଲି ଫଳାଫଳ

(ମମତା ସାମଲ)ରିପୋର୍ଟସଟୁଡେ: ମନ୍ଦିରରେ ସୁଆର ଓ ମହାସୁଆର ନିଯୋଗର ପ୍ରଭାବ ବେଶ ଅଧିକ ଥାଏ । ତେଣୁ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଆଜି ନିର୍ବାଚନ ମତଦାନ ଚାଲିଛି । ଆସନ୍ତାକାଲି ଭୋଟ ଗଣତି କରାଯିବ ।ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ୟ୍ୟାଳୟରେ ଏହି ମତଦାନ କରାଯାଉଛି । ଆଜି ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଛି । ୩୭ଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ୧୫ଜଣ ନିର୍ବାଚିତ ହେବେ ।
ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ୱରେ ରହିଥାଏ । ନିଯୋଗ ମଧ୍ୟରେ ଏହା ସବୁଠାରୁ ଧନୀ । ତେଣୁ ଏହି ନିଯୋଗରେ ସାମିଲ ହେବାକୁ ରହିଥାଏ ସବୁଠାରୁ ଅଧିକ ପ୍ରତିଦ୍ୱ୍ୱନ୍ଦିତା । ନିଯୋଗର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ମିଶି ଏହି ନିଯୋର ୧୫ଜଣିଆ କମିଟି ପାଇଁ ସଦସ୍ୟ ନିର୍ବାଚନ କରିଥାନ୍ତି । ଏହି ପଦବୀ ପାଇଁ ୩୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସୁଆର ମହାସୁଆର ନିର୍ବାଚନ ପରେ ଏକ ବୋର୍ଡ଼ ଗଠିତ ହେବ । ସେମାନେ ନିଯୋଗର ସମ୍ପାଦକ ,ସଭାପତି, ଉପସଭାପତି, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ଓ ଅଡ଼ିଟର ଆଦି ପଦବୀରେ ମନୋନୀତ ହେବେ । ପୂର୍ବରୁ ଥିବା ସୁଆର ମହାସୁଆର ନିଯୋଗ ବୋର୍ଡ଼ ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଭାଙ୍ଗିଥିଲା । ପରେ ଅନେକ ଥର ଏହି ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ହୋଇପାରି ନଥିଲା ।