ଭୁବନେଶ୍ୱର : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୧ଟା ୪୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ ରାଷ୍ଟ୍ରପତି । ତେବେ ୧୧ଟା ୪୫ ମିନିଟରେ ଭୁବନେଶ୍ବରରେ ପହଂଚିବା ପରେ ୧୨ଟା ୫ରେ ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ପହଞ୍ଚିବେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ ୧ଟା ୨୫ ମିନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୫ ମିନିଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମକୁ ଯିବେ ମହାମହିମ ।
ରାଷ୍ଟ୍ରପତି ହେବା ପରେ ନିଜେ ପଢ଼ୁଥିବା ବିଶ୍ୱବିଦ୍ୟାଳୟକୁ ପ୍ରଥମଥର ପାଇଁ ଯିବେ ରାଷ୍ଟ୍ରପତି । ତେବେ ମ୍ୟାଡାମ ପ୍ରେସିଡେଣ୍ଟଙ୍କ ସ୍ୱାଗତ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା | ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନଜର ପକାନ୍ତୁ ମହାମହିମାଙ୍କ ଗସ୍ତର କାର୍ଯ୍ୟସୂଚୀ ଉପରେ
୧୧ଟା ୪୫ – ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ
୧୨ଟା ୦୫ – ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି
୧ଟା ୨୫- ରାଜଭବନରେ ମଧ୍ୟାହ୍ନ ଭୋଜନ
୪ଟା ୦୫ – ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମ
ଶନିବାର ସକାଳ ୯ଟା- ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ
୧୦ଟା ୫୦- ଇଣ୍ଡିଆନ ରାଇସ କଂଗ୍ରେସ ଉଦଘାଟନ (ଘଜଜଓ ବିଦ୍ୟାଧରପୁର)