ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର : ଆଜି ପ୍ରକାଶ ପାଇବ ତାଲିକା

ଭୁବନେଶ୍ୱର : ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଆଜି ପ୍ରକାଶ ପାଇବ ଏହି ଯୋଜନାରେ ଘର ପାଇବାକୁ ଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା । ୯ଲକ୍ଷ ୫୯ ହଜାର ପରିବାରକୁ ମିଳିବ ଘର । ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଆଉ ୮ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଆବାସ ଯୋଜନାରେ ମିଳିବ ଘର ।

ଏନେଇ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସାରିଛନ୍ତି ସରକାର । ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନୱାଡି ସେଣ୍ଟର ଏବଂ ଗାଁର ପ୍ରମୁଖ ସ୍ଥାନରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯିବ । ଜାନୁଆରୀ ୧୬ ତାରିଖରୁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଏହା ପ୍ରଦର୍ଶିତ ହେବ । ଏଥିରେ ଯଦି କାହାରି ଆପତ୍ତି ରହିଥାଏ ବା ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା କେହି ଉପଲବ୍ଧି କରନ୍ତି ତେବେ ସେ ସମ୍ପର୍କରେ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରାଯିବାକୁ ମଧ୍ୟ ସୁଯୋଗ ଦିଆଯାଇଛି। ଟୋଲ୍‌‌ ଫ୍ରି ନମ୍ବର, ଅନଲାଇନ ବା ସ୍ୱତନ୍ତ୍ର ଦରଖାସ୍ତ ଦେଇ ଏହି ଅଭିଯୋଗ କରାଯିବ।

ଟୋଲ ଫ୍ରି ନମ୍ୱର ୧୮୦୦୩୪୫୬୭୭୦ ବା ୧୫୫୩୩୫ ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିହେବ। ଯଦି କୌଣସି ବ୍ୟକ୍ତି ଅନଲାଇନ୍‌‌ ମାଧ୍ୟମରେ ନିଜ ଅଭିଯୋଗ ଦାଖଲ କରିବାକୁ ଚାହୁଁଥାନ୍ତି ତାହେଲେ ବିଭାଗର ନିର୍ଦ୍ଧାରିତ ପୋର୍ଟାଲର ‘ଅଭିଯୋଗ ଦାଖଲ’ କୁ କ୍ଲିକ୍‌‌ କରି ନିଜର ମୋବାଇଲ ନମ୍ୱର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।