ଭୁବନେଶ୍ୱର: ପ୍ରେସର ସ୍ୱାଧୀନତା ଓ ସାମ୍ବାଦିକତା ମାନରେ ଉନ୍ନତି ଆଣିବା ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପୂର୍ବରୁ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସୁପାରିଶ କରିଛନ୍ତି। ପ୍ରେସର କାର୍ୟ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ପ୍ରେସ କାଉନସିଲ ମିଡିଆ କର୍ମୀ ଓ ମାଲିକଙ୍କୁ ଭର୍ତ୍ସନା କରିବା ସହ ସରକାରଙ୍କୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସୁପାରିଶ ମଧ୍ୟ କରିପାରନ୍ତି। ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ଜଣ ସାମ୍ବାଦିକଙ୍କୁ ନୋଟିସ୍ ଜାରି କରିଛନ୍ତି ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ।
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ହୋଇନାହିଁ। ୩୦ରୁ ୪୦ ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ବାର୍ଟର୍ସ ମାଡ଼ି ବସିଥିବା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ କ୍ୱାର୍ଟର୍ସ ଆବଣ୍ଟନରେ କୌଣସି ସ୍ପଷ୍ଟ ନୀତି ନଥିବାରୁ ସାମ୍ବାଦିକମାନେ ସରକାରୀ କଳର ଗୋଡାଣିଆ ହେଉଥିବା ଅଭିଯୋଗ ଆଧାରରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପିସିଆଇ । ସଂପୃକ୍ତ ୭୫ଜଣ ସାମ୍ବାଦିକଙ୍କ ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ନିଆ ନଯିବ ସେନେଇ ୧୪ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିଆଇ ।
ଭୁବନେଶ୍ୱରରେ କ୍ୱାର୍ଟର୍ସ ପାଇଥିବା ୭୫ ଜଣ ସାମ୍ବାଦିକଙ୍କୁ ପିସିଆଇ ଜାରି କରିଥିବା ନୋଟିସକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ସରକାର ଓ ସାମ୍ବାଦିକଙ୍କ ମିଲିଭଗତରେ ବଳିପଡ଼ିଯିବ କି ପ୍ରେସର ସ୍ୱାଧୀନତା । ସରକାରୀ କ୍ୱାର୍ଟର୍ସ ପାଇଥିବା ସାମ୍ବାଦିକମାନେ ସରକାରଙ୍କ ଦୋଷ ଦୁର୍ବଳତାକୁ କେତେ ସାମ୍ନାକୁ ଆଣିପାରିବେ ତାହାକୁ ନେଇ ଆରମ୍ଭ ହୋଇଛି ତର୍କବିତର୍କ ।