ଭୁବନେଶ୍ବର: ରାଜ୍ୟରେ ପାଗରେ ପରିବର୍ତ୍ତନ । ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ଆଣିଲା କାଳବୈଶାଖୀ ବର୍ଷା । ଗତକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା- କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର ଓ କଟକ । ଏହି ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କନ୍ଧମାଳ, କଳାହାଣ୍ଡି, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ପୁରୀ, ମାଲକାନାଗିରି, ସମ୍ବଲପୁର ଓ ଦେବଗଡ ଆଦି ଜିଲ୍ଲାକୁ ମଧ୍ଯ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।