ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ । ଏହି ବର୍ଷ ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି । ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଜି ମାରିଛନ୍ତି ଜଣେ ଓଡ଼ିଆ ଛାତ୍ରୀ । ପୁରୀ ଜିଲ୍ଲା ସ୍ଥିତ ମଦର ପବ୍ଲିକ୍ ସ୍କୁଲର ଟିନା ରଥ ନାମକ ଛାତ୍ରୀ ମୋଟ ୫୦୦ରୁ ୫୦୦ ମାର୍କ ରଖି ଓଡ଼ିଶା ସମେତ ସାରା ଦେଶରେ ଟପର୍ ହୋଇଛନ୍ତି ।

ସିବିଏସଇ ଦଶମ ରେଜଲଟରେ ଏକ ବଡ ସଫଳତା ପାଇବା ପରେ ଟିନା କହିଛନ୍ତି, ଦିନକୁ ସେ ୭-୮ ଘଣ୍ଟା ପଢ଼ୁଥିଲେ । ପ୍ରଶ୍ନ ନିଜେ କଲେକ୍ଟ କରି ନିଜେ ଉତ୍ତର ଲେଖୁଥିଲେ । ସବୁବେଳେ ୯୯ % ଉପରେ ରଖୁଥିଲେ, ହେଲେ ଶତ ପ୍ରତିଶତ ରଖିବାକୁ ଚେଷ୍ଠା ଚଳାଇଥିଲେ । ସ୍ପିଡ୍ ଆଉ ନିର୍ଭୁଲ ରାଇଟିଙ୍ଗ ଉପରେ ଫୋକସ ରଖିଥିଲେ । ଭବିଷ୍ୟତରେ ମେଡିକାଲ ପାଠ ପଢ଼ି ଜଣେ କାର୍ଡିଓ ସର୍ଜନ ହେବି ଓ ଲୋକଙ୍କ ସେବା କରିବେ ବୋଲି ଆଶା ରଖିଛନ୍ତି ଟିନା ।

ତେବେ ଏଥର ଓଡ଼ିଶାରେ ଛାତ୍ରଙ୍କ ପାସ୍ହାର ୯୨.୬୦% ଓ ଛାତ୍ରୀଙ୍କ ପାସ୍ହାର ୯୪.୮୩% ରହିଛି । ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୯ ହଜାର ୨୬୦ ଜଣଙ୍କ ମଧ୍ୟରୁ ୧୮ ହଜାର ୧୫୧ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୪.୨୪% ହୋଇଛି । ସ୍ବାଧୀନ ଭାବେ ଅର୍ଥାତ୍ ବେସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୩୭ ହଜାର ୮୭୧ ଜଣଙ୍କ ମଧ୍ୟରୁ ୩୪ ହଜାର ୯୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ହାର ୯୨.୩୮% ହୋଇଛି । ସର୍ବଭାରତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
