ଭୁବନେଶ୍ବର : ଆଜି ଭୁବନେଶ୍ବର ମହାରାଜା ହଲ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଓଡିଆ ଚଳଚ୍ଚିତ୍ର “ମାଇ ସୁଇଟ୍ ହାଉସ୍ ଓ୍ବାଇଫ୍” ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି। ସାରା ଓଡିଶାରେ ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବିବାହ ହେଉଛି ଏକ ପବିତ୍ର ବନ୍ଧନ l ବିଶେଷଭାବେ ଆମ ଭାରତୀୟ ସମାଜ ଓ ସଂସ୍କୃତିରେ ବିବାହର ସ୍ୱତନ୍ତ୍ର ସ୍ଥାନ ରହିଛି l କୁହାଯାଏ ଯେ ଏଠି କେବଳ ବରକନ୍ୟା ଙ୍କର ନୁହେଁ ବରଂ ଦୁଇଟି ପରିବାର ମଧ୍ୟରେ ବିବାହ ହୋଇଥାଏ | ପୁରୁଷ ଓ ନାରୀ ଉଭୟ ଏହି ବନ୍ଧନରେ ଆବଦ୍ଧ ହୁଅନ୍ତି ଓ ଏକ ସଫଳ ବୈବାହିକ ଜୀବନରେ ଉଭୟଙ୍କର ସ୍ୱତନ୍ତ୍ର ଭୂମିକା ରହିଥାଏ l ବିଶେଷଭାବେ ଝିଅଟିଏ ସିନ୍ଥିରେ ସିନ୍ଦୁର ପିନ୍ଧି ଏରୁଣ୍ଡି ଟପିବା ପୂର୍ବରୁ ନିଜର ପରିଚୟ ନେଇ ଆସିଥାଏ l ସାଥିରେ ନେଇ ଆସିଥାଏ କେତେ ସ୍ବପ୍ନ ଓ କେତେ ସମ୍ଭାବନା l ଅନ୍ୟମାନଙ୍କ ପରି ତାର ବି ଥାଏ ନୂଆ ଦିଶା ଓ ନୂଆ ଆଶା l ଜୀବନର ଚଲାପଥରେ ବାଟ ଚାଲୁଚାଲୁ ଦୃଷ୍ଟିଭଙ୍ଗୀ ଭିନ୍ନ ହେବା ସ୍ୱାଭାବିକ l ସେହି ଆବେଗ ଏବଂ ଭାବନାକୁ ବୁଝି ପରସ୍ପରକୁ ସମ୍ମାନ ଜଣାଇପାରିଲେ ଉଭୟଙ୍କ ଯାତ୍ରା ସୁଗମ ହେବା ସହ ସମ୍ପର୍କ ସମୃଦ୍ଧ ଓ ସୁଦୃଢ ହୋଇଥାଏ l କିନ୍ତୁ ଯଦି ଏପରି ନହୁଏ ତେବେ ଦିନ ସରିଯାଏ ସିନା କଥା ରହିଯାଏ l ବେଙ୍ଗ କହେ ବେଙ୍ଗୁଲିଲୋ ମହି କ୍ଷଣିକ୍ଷଣିକେ ଆନ….! ଏପରି ଏକ ନିଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ହୋଇଛି ସିନେମା “ମାଇଁ ସ୍ୱିଟ ହାଉସ ୱାଇଫ” ଓଡ଼ିଶାର ବିଭିନ୍ନ ସିନେମାହଲ ଗୁଡିକରେ ମୁକ୍ତିଲାଭ କରି ଦର୍ଶକାଦୃତ ହୋଇଛି l ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଏବଂ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅଭିନେତ୍ରୀ ନୈନା ଦାସ ତିୱାରୀ ଓ ଅଭିନେତା ପ୍ରୀତିରାଜ ଶତପଥୀ ଏବଂ ସହଯୋଗୀ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ତିୱାରୀ l
ଏହି ଚଳଚ୍ଚିତ୍ର ଯାହା ପ୍ରକୃତରେ ଏକ ମୌଳିକ କାହାଣୀ ଏବଂ ଆମ ସମାଜର ଏକ ପ୍ରତିଫଳନ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି l ଜଣେ ମହିଳାର ମତକୁ ଶୁଣାଯିବା, ତାର ନିଷ୍ପତ୍ତିକୁ ସମ୍ମାନ କରାଯିବା ଏବଂ ଜଣେ ଗୃହିଣୀ ହେଲେ ମଧ୍ୟ ତାର ନିଜର ସ୍ୱପ୍ନ ଏବଂ ପସନ୍ଦ ଥାଏ ଯାହାକୁ ସ୍ୱୀକାର କରାଯିବାର ଆବଶ୍ୟକତା ରହିଛି, ଯାହାକୁ ଏହି ଚଳଚ୍ଚିତ୍ର ରେ ଦର୍ଶାଯାଇଛି | ଅନେକ ଅଗ୍ରଣୀ ବ୍ରାଣ୍ଡ ଏବଂ ବ୍ୟକ୍ତିବିଶେଷ ଏହି କାହାଣୀକୁ ସମର୍ଥନ କରୁଛନ୍ତି | ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଏହାକୁ ଦର୍ଶକ ନିଜର ଭଲ ପାଇବା ଦେଉଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l