ଭୁବନେଶ୍ୱର:- ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି ସୌରଭ । ମହିଳା ଥାନାରୁ ବାହାରିବା ପରେ ସେ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଛଡ଼ା ମୋ ମା’ର କେହି ନାହାନ୍ତି । ମେ ମା’, ଭଉଣୀଙ୍କୁ ସପୋର୍ଟ ଦରକାର। ସ୍ତ୍ରୀ କେବେ ସପୋର୍ଟ ଦେଉ ନ ଥିଲେ । ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି । ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି । ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି । କୋର୍ଟ ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି, ମୋତେ ନିଶ୍ଚୟ ନ୍ୟାୟ ମିଳିବ ।
ଅନ୍ୟପକ୍ଷରେ ସ୍ୱାମୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଓସ୍ଡମାରେ ଡିଜିଏମ୍ ଭାବେ କାର୍ଯ୍ୟରତ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପତ୍ନୀ ଓ ନବଜାତ ପିଲା ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନା ଦେବା ସହ ଉଭୟଙ୍କୁ ହସ୍ପିଟାଲରୁ ଛାଡି ପଳାଇବା ଅଭିଯୋଗ ହୋଇଥିଲା । ବାରମ୍ବାର ଫୋନ୍ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି। କେବଳ ସ୍ୱାମୀ ନୁହଁନ୍ତି, ବରଂ ଶାଶୁ କବିତା ମଞ୍ଜରୀ ରଥ ଓ ନଣନ୍ଦ ସାଇନା ସୋନାଲି ମହାପାତ୍ରଙ୍କ ନାମରେ ଅର୍ଚ୍ଚନା ସଂଗୀନ ଅଭିଯୋଗ ଆଣିଛନ୍ତି। ଗୁରୁବାର ଅର୍ଚ୍ଚନା ଦାସଙ୍କ ବୟାନ ରେକର୍ଡ କରାଯାଇଛି । ବାହାଘର ଠାରୁ ଆରମ୍ଭ କରି ସନ୍ତାନ ହେବା ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କଣ ଘଟିଥିଲା ସେନେଇ ପଚରାଉଚରା ହୋଇଛି । ତେବେ ଓଏଏସ୍ ସାର୍ଥକଙ୍କୁ ମହିଳା ଥାନା ନୋଟିସ୍ କରିବା ପରେ ଆଜି ସେ ଥାନାରେ ହାଜର ହୋଇଛନ୍ତି ।