ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ଭେଟେରାନ୍ ଖେଳାଳି ସୁଜି ବେଟ୍ସ । ଆସନ୍ତା ଜୁନ୍ ମାସରେ ଇଂଲଣ୍ଡ ଓ ୱେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏହା ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ତାଙ୍କର ଏକ ସୁଦୀର୍ଘ ଓ ସଫଳ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିବ ।

୧୮ ବର୍ଷ ବୟସରେ ୨୦୦୬ ମସିହାରେ ‘ହ୍ୱାଇଟ୍ ଫର୍ନସ’ ପାଇଁ ପଦାର୍ପଣ କରିଥିବା ସୁଜି ଆଜି ମହିଳା କ୍ରିକେଟର ଜଣେ ମହାରଥୀ । ନ୍ୟୁଜିଲାଣ୍ଡ ୨୦୨୪ରେ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ଟାଇଟଲ୍ ଜିତିଥିଲା । ବର୍ତ୍ତମାନ ସୁଜିଙ୍କର ଗୋଟିଏ ଲକ୍ଷ୍ୟ ଦଳକୁ ପୁଣିଥରେ ବିଶ୍ୱବିଜୟୀ କରି ଦଳରୁ ବିଦାୟ ନେବା । ଅବସର ନେବା ନିଷ୍ପତ୍ତି ଉପରେ ଭାବବିହ୍ୱଳ ହୋଇ ସୁଜି ବେଟ୍ସ କହିଛନ୍ତି, “ଏହି ୨୦ ବର୍ଷ କେମିତି ବିତିଗଲା ମୁଁ ନିଜେ ବିଶ୍ୱାସ କରିପାରୁନି । ନ୍ୟୁଜିଲାଣ୍ଡ ପାଇଁ ଖେଳିବା ମୋ ପାଇଁ ଗର୍ବର କଥା । ମୋର ଶେଷ ମିଶନ୍ ହେଉଛି ପୁଣିଥରେ ଦଳକୁ ବିଶ୍ୱକପ୍ ଜିତିବା ଏବଂ ମୁଁ ଏଥିପାଇଁ ମୋର ସବୁ ଶକ୍ତି ଲଗାଇ ଦେବି।”
