ଆଜି NEET UG ୨୦୨୬ ପରୀକ୍ଷା । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଅନୁଷ୍ଠିତ ହେବ NEET UG ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି NEET UG- ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଦିନ ସାଢ଼େ ଗୋଟାଏ ପରେ କାହାରିକୁ ପରୀକ୍ଷାକେନ୍ଦ୍ର ଭିତରକୁ ଛଡ଼ାଯିବ ନାହିଁ । ସାରା ଦେଶରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୫୫୬ଟି ସହରରେ ପରୀକ୍ଷା ଦେବେ । ଚଳିତ ବର୍ଷ ପରୀକ୍ଷାର ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ NCERT ପାଠ୍ୟକ୍ରମ ଉପରେ ଆଧାରିତ ଅଟେ ।

ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ସହ ବୈଧ ପରିଚୟ ପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ୨୭ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି । ଓଡ଼ିଶାରୁ ୫୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଛନ୍ତି । ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ହେଉଛି । ପରୀକ୍ଷା ମୋଟ ୭୨୦ ମାର୍କର ହୋଇଥିବା ବେଳେ ପ୍ରତି ଭୁଲ୍ ଉତ୍ତର ପାଇଁ ୧ ନମ୍ବର କଟାଯିବାର ବ୍ୟବସ୍ଥା ରହିଛି । ଭାରତର ବିଭିନ୍ନ ମେଡିକାଲ୍ କଲେଜରେ MBBS ଏବଂ BDS ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହା ଏକ ପ୍ରମୁଖ ପ୍ରବେଶିକା ପରୀକ୍ଷା ।