ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ତେବେ ଏହି ସ୍ୱଳ୍ପ ସମୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରୀ ଦଳକୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଉଭୟ ପକ୍ଷରୁ ପ୍ରସ୍ତୁତ କରାଯାଉଛି ଉଭୟଙ୍କ ରଣନୀତି । ଏହା ସହିତ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସରକାର ସଂରକ୍ଷଣ ବଂଶୋଧନ ବିଲ ମଧ୍ୟ ଆଣିବେ । ଏହି ସଂରକ୍ଷଣ ବିଳକୁ ନେଇ ଗତ ୩ ବର୍ଷ ହେଲା ପୌର ନିର୍ବାଚନ ଅଟକି ରହିଛି । ସୀମା ପୁନଃ ନିର୍ଦ୍ଧାରଣ ବିନା ସରକାର କିପରି ସଂରକ୍ଷଣ ଲାଗୁ କରିବେ ତାହାକୁ ନେଇ ପ୍ରଶ୍ନ କରିବା ସହ ପୌର ନିର୍ବାଚନକୁ ନେଇ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିବ ବିରୋଧୀ ଦଳ । ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୧୨ଟି ବିଲ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ମରୁଡି, ଜଳସେଚନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହିତ ବିଭିନ୍ନ ସ୍ଥାନରେ ସୀମା ବିବାଦ ପ୍ରସଙ୍ଗକୁ ମଧ୍ୟ ଉଠାଇବ ବିଜେପି ଦଳ ।ସେପଟେ କଂଗ୍ରେସ ମଧ୍ୟ ଚାଷୀମାନଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାର ପ୍ରସ୍ତୁତି କରିସାରିଛି ।
ଏହି ଅଧିବେଶନ ପାଇଁ ବିଧାସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୫ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ରୁ ଅଧିକ ପୋଲିସ ଅଫିସରଙ୍କ ବ୍ୟତୀତ ଡଗ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ଏବଂ ଗୁଇନ୍ଦା ବିଭାଗ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି । ଏଥି ସହିତ ବିଧାସଭା ଚାଲିଥିବା ସମୟରେ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ସାଧାରଣ ଜନତାଙ୍କ ଯାତାୟତ ଉପରେ ରୋକ ଲଗାଯାଇଛି ।