ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଏକ ସୁଯୋଗ ଥିଲା, କିନ୍ତୁ ୯ ବର୍ଷ ମଧ୍ୟରେ ସେ ସବୁ କ୍ଷେତ୍ରକୁ ନଷ୍ଟ କରିବାରେ କୌଣସି ସୁଯୋଗ ଛାଡ଼ିନାହାନ୍ତି। ସେ ଦେଶର ଆକାଶ, ପାତାଳ ସବୁକିଛି ବିକ୍ରି କରିଦେଇଛନ୍ତି ।
ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି । ରେଳ ହେଉ ବା ବିମାନ ବନ୍ଦର ସବୁକିଛି ସରକାର ବିକ୍ରି କରିଦେଉଛନ୍ତି । ଦିନ ଥିଲା ଭାରତୀୟ ରେଳ ଦେଶର ଗୌରବ ଥିଲା । କିନ୍ତୁ ଏବେ ପ୍ରତିଦିନ ଦୁର୍ଘଟଣା ହେଉଛି । ଆଜି ଦେଶର ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଅଛନ୍ତି । ଏହି ୨୬ଟି ଦଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ଏକାଠି ହୋଇଛନ୍ତି । ଗୋଟିଏ ପଟେ ଦେଶକୁ ଘୃଣାରୁ ରକ୍ଷା କରିବାକୁ ପଡ଼ୁଥିବା ବେଳେ ଅନ୍ୟପଟେ ନୂଆ ଭାରତର ସ୍ୱପ୍ନ ନେଇ ଆମେ ସମସ୍ତେ ଏକାଠି ହୋଇଛୁ ବୋଲି ସେ କହିଥିଲେ ।