ଭୁବନେଶ୍ୱର : ଜାନୁଆରୀ ସରିନି ହେଲେ ସରିଗଲାଣି ଶୀତ । ମାଘରେ ବାଘୁଆ ଶୀତ କୁହାଯାଉଥିବା ବେଳେ ମାଘ ମାସ ନସରୁଣୁ ଆସିଗଲାଣି ଖରା । କମିଲାଣି ଶୀତ ବଢିଲାଣି ତାତି । ଆଜିଠୁ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଖରା ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଗାମୀ ୪ ରୁ ୫ ଦିନ ଯାଏ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକ ରହିବ। ବୁଧବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୂତ ହୋଇଛି। ସପ୍ତାହେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ। କିନ୍ତୁ କୁହୁଡ଼ି ପ୍ରଭାବ ଆହୁରି ଦୁଇ ଦିନ ରହିବ। ବୁଧବାର ଅନୁଗୋଳ, କୋରାପୁଟ, ନୟାଗଡ଼ରେ ପ୍ରବଳ କୁହୁଡ଼ି ଅନୁଭୂତ ହୋଇଥିଲା। ଚାନ୍ଦବାଲି, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ବର, ଫୁଲବାଣୀ ଏବଂ ଜଗତସିଂହପୁରରେ ଘନକୁହୁଡ଼ି ଦେଖାଯାଇଥିଲା। ଆଜି ସକାଳ ପର୍ଯ୍ୟନ୍ତ ୧୯ ଜିଲାରେ ଘନକୁହୁଡ଼ି ଅନୁଭୂତ ହେବ। ସେଥିପାଇଁ ସେସବୁ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।