ପୁଣି ମାଡି ଆସୁଛି ବର୍ଷା

(ସୌମ୍ୟ ରଞ୍ଜନ ସେଠୀ): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଫଳରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମାତ୍ର ୨୦ ଓ ୨୧ ତାରିଖ ଦୁଇଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ସାଙ୍ଗକୁ ପବନ ବହିବ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୯ ତାରିଖରେ ଦୁଇ ତିନୋଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବ ଏବଂ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଏବଂ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ୨୨ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଓ ତତ୍‌ସଂଲଗ୍ନ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।