ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବନ୍ୟା

ଉତ୍ତରକାଶୀ:- ଉତ୍ତରାଖଣ୍ଡରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ହର୍ଷିଲ ନିକଟ ଧରାଳି ଗାଁରେ ଖୀରଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିଛି। ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ପାଣିର ପ୍ରଖର ସ୍ରୋତ ଆସି ଅନେକ ହୋଟେଲ ଓ ଘର ମାନଙ୍କରେ ପ୍ରବେଶ କରିଛି। ବନ୍ୟା ପାଣି ସହିତ ଘର ଏବଂ ଦୋକାନରେ ମଧ୍ୟ ଭଗ୍ନାବଶେଷ ପ୍ରବେଶ କରିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଧରାଳିରେ ହୋଇଥିବା ବିପୁଳ କ୍ଷତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ସେନା, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF), ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ ଜିଲ୍ଲା ପ୍ରଶାସନ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ରୋହିତ ଥାପଲିଆଲ କହିଛନ୍ତି ଯେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ପାର୍ବତ୍ୟାଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବନ୍ୟା ଯୋଗୁ ଧରାଲି ବଜାରରେ ପ୍ରବଳ କ୍ଷତି ହୋଇଛି, କେବଳ ବନ୍ୟା ଦ୍ୱାରା ଆସିଥିବା କାଦୁଅ ପାଣି ସବୁଠି ଦେଖାଯାଉଛି। ଲୋକମାନେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ବନ୍ୟା ଯୋଗୁ ଖୀର ଗଙ୍ଗା କୂଳରେ ଅବସ୍ଥିତ ପ୍ରାଚୀନ କଳ୍ପ କେଦାର ମନ୍ଦିର ମଧ୍ୟ ଭାଙ୍ଗି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି।