ନୂଆଦିଲ୍ଲୀ: ପାଇଲଟ ଓ କ୍ରିୟୁ ମେମ୍ବରଙ୍କ ଅନୁପସ୍ଥିତ ଯୋଗୁ ଦିଲ୍ଲୀ ଓ ହାଇଦ୍ରାବାଦ ବିମାନବନ୍ଦରରେ ବିମାନର ରକ୍ଷଣାବେକ୍ଷଣ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା। ଜୁଲାଇ ୮ ତାରିଖରେ ହାଇଦ୍ରାବାଦ ଓ ଦିଲ୍ଲୀ ବିମାନବନ୍ଦରରେ ରାତ୍ରୀକାଳୀନ ଡ୍ୟୁଟିରେ ଥିବା ପାଇଲଟ ଓ କ୍ରିୟୁ ମେମ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନଜଣାଇ ଛୁଟିରେ ରହିଯାଇଥିଲେ। ଫଳରେ ବିମାନ ଚଳାଚଳ ଓ ସଂରକ୍ଷଣରେ ସମସ୍ୟା ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ କରୋନା ମହାମାରୀ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ ଗୋଟିଏ ଲାଭଜନକ ଏୟାରଲାଇନ କମ୍ପାନୀ ଭାବେ ପରିଗଣିତ ହେଉଥିଲା। ତେବେ ଗତ ଏପ୍ରିଲ ମାସରେ ପାଇଲଟ ଓ କ୍ରିୟୁ ସଦସ୍ୟଙ୍କ ସାମୂହିକ ଛୁଟିରେ ରହିବା ଫଳରେ ବିମାନ ଗୁଡିକୁ ବାତିଲ କରିବାକୁ ପଡିଥିଲା। ସେହିପରି ଜୁଲାଇ ୨ ତାରିଖରେ ଟାଟା ଗ୍ରୁପର ଏୟାରଇଣ୍ଡିଆରେ ପାଇଲଟ ଓ କ୍ରିୟୁ ମେମ୍ବରଙ୍କ ଲାଗି ଇଣ୍ଟରଭ୍ୟୁ ଥିବାରୁ ଇଣ୍ଡିଗୋ ଏୟାରଲାଇନର ୫୫ ପ୍ରତିଶତ କର୍ମଚାରୀ ଛୁଟିରେ ରହିଥିଲେ। ଫଳରେ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଥିବା ବିମାନ ଗୁଡିକୁ ବାତିଲ କରିବାକୁ ପଡିଥିଲା। ଏଭଳି ବାରମ୍ବାର ଉଡାଣ ବାତିଲ କରିବା ଫଳରେ ଡିଜିସିଏ ପକ୍ଷରୁ ଇଣ୍ଡିଗୋକୁ ମଧ୍ୟ ନୋଟିସ କରାଯାଇଥିଲା। ତେବେ କରୋନା ମହାମାରୀ ସମୟରେ ପାଇଲଟ ଓ କ୍ରିୟୁ ମେମ୍ବରଙ୍କୁ ଦରମା ପ୍ରଦାନରେ ଅସୁବିଧା ଦେଖାଦେଇଥିଲା।