ବାଣପୁର:-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ଭଗବତୀଙ୍କର ଦର୍ଶନ ନିମନ୍ତେ ନବନିର୍ବାଚିତ ସାଂସଦ ମାନସ କୁମାର ମଙ୍ଗରାଜ ସଂଧ୍ୟା ସମୟରେ ବାଣପୁର ଗସ୍ତରେ ଆସିଥିଲେ। ଶ୍ରୀ ମଙ୍ଗରାଜଙ୍କର ବାଣପୁର ନିଜ ଜନ୍ମମାଟି ହୋଇଥିବା ସହିତ ବିଗତ ଦିନରେ ସେ ବିଧାୟକ ଆସନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରୁ ମଧ୍ୟ ଲଢ଼ିଛନ୍ତି।
ସାଂସଦ ନିଜ ପୂର୍ବନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ ସଂଧ୍ୟା ସମୟରେ ବାଣପୁର ଆସିଥିଲେ। ଏଠାରେ ପହଁଚିବା ପରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ବିଷରପାଟଣା ଛକଠାରେ ସ୍ବାଗତ କରିଥିଲେ। ଏଥୀ ସହିତ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସାଂସଦଙ୍କୁ ମା ଭଗବତୀ ମନ୍ଦିର ଯାଇଁ ପାଛୋଟି ଅଣା ଯାଇଥିଲା। ମନ୍ଦିରରେ ପହଁଚିବା ପରେ ମନ୍ଦିର କମିଟିର ଟ୍ରଷ୍ଟି ଶ୍ରୀ ବାଳମୁକୁନ୍ଦ ଦାଶ ତାଙ୍କୁ ସ୍ଵାଗତ କରିଥିଲେ। ଶ୍ରୀ ମଙ୍ଗରାଜ ମା ଭଗବତୀଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବେଢା ମଧ୍ୟରେ କିଛି ସମୟ ଅତିବାହିତ କରିଥିଲେ।
ଏହି ସମୟରେ ମନ୍ଦିର ସେବାୟତମାନେ ମା ଭଗବତୀଙ୍କ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଉପସ୍ଥାପିତ କରିଥିଲେ। ଏଥି ସହିତ ବାଣପୁର ଅଞ୍ଚଳର ଅନେକ କିଛି ସମସ୍ୟାର ସମାଧାନ ପାଇଁ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ସାଂସଦଙ୍କୁ ଅନୁରୋଧ କରିଥିଲେ।
ଶ୍ରୀ ମଙ୍ଗରାଜ ସମସ୍ତ ସମସ୍ୟା କଥା ଶୁଣି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ସାଂସଦ ନିଜ ପାଣ୍ଠିରୁ ଡ୍ରେନେଜ୍ ଓ ବଜାରର ଉନ୍ନତିକରଣ ପାଇଁ ବ୍ୟୟବରାଦ କରିବେ ବୋଲି କହିଛନ୍ତି। ମନ୍ଦିରର ବିକାଶ ପାଇଁ ୫ଟି ସଚିବ ଖୁବଶୀଘ୍ର ପରିଦର୍ଶନ ପାଇଁ ଆସିବେ ବୋଲି ଶ୍ରୀ ମଙ୍ଗରାଜ ଦୃଢୋକ୍ତି ପ୍ରକାଶ କରିଥିଲେ।
ଦର୍ଶନ ସରିବା ପରେ ସାଂସଦ ଶ୍ରୀ ମଙ୍ଗରାଜ ନିଜର ପୈତୃକ ଗ୍ରାମ ଅଭିମୁଖେ ଯାଇଥିଲେ। ରାସ୍ତାରେ ତାଙ୍କୁ ଦେଖିବା ପାଇଁ ଜନ ସମାଗମ ହୋଇଥିଲା। ସାଂସଦଙ୍କ ଗସ୍ତ ପାଇଁ ବାଣପୁର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।