ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।
ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତର ସମ୍ଭାବନା ବାତ୍ୟାର ମାସ ଅକ୍ଟୋବରରେ ବଢ଼ାଇଛି ଛନକା । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । NCEP, ECMWF, ECAI, IMD GFS, GEFS, ଏବଂ BFS ମଡେଲ ଅନୁଯାୟୀ ୨୧-୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଅଧିକାଂଶ ମଡେଲ ପୂର୍ବାନୁମାନ କରିଛନ୍ତି । GFS ମଡେଲ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଉଛି । ତେବେ ECMWF ମଡେଲ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଦର୍ଶାଉଛି ।