ସାରା ରାଜ୍ୟରେ ପ୍ରବେଶ କରିସାରିଛି ମୌସୁମୀ । ହେଲେ ବର୍ଷାର ପରିମାଣ କମ ରହିଛି । ଏବେ ବି ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ସେପଟେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଜୁଲାଇ ୨ ବେଳକୁ ଲଘୁଚାପ ହେବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ ସୃଷ୍ଟି ହେବ। ଉତ୍ତର ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଫଳରେ ରାଜ୍ୟରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ସୂଚନା ଅନୁଯାୟୀ, ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଏବଂ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଅପରପକ୍ଷେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ଓ୍ବାର୍ନିଂ ଦିଆଯାଇଛି।