(ମୁମ୍ବାଇ): କରୋନାର ନୁଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ମହାରାଷ୍ଟ୍ରରେ ଲକଡାଉନ କଟକଣାକୁ ଜାନୁଆରୀ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ପୂର୍ବରୁ ସରକାର ଚଳିତ ମାସ ୩୧ ତାରିଖ ଯାଏ ଏହି କଟକଣା ଜାରି ରହିବ ବୋଲି ଘୋଷଣା କରିଥିଲେ । ନୁଆବର୍ଷ ପାଇଁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତ୍ରୀକାଳୀନ କର୍ପ୍ୟୁ ଜାରି କରିବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିିଲେ । ନୁଆବର୍ଷ ପାଳନ ପାଇଁ ଘରୁ ବାହାରକୁ ନ ଯିବା ଲାଗି ସରକାରଙ୍କ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବାକୁ କୁହାଯାଇଛି । ନୁଆବର୍ଷ ପୁର୍ବରୁ ଦେଶରେ କରୋନାର ନୁଆ ଷ୍ଟ୍ରେନ ଦେଖାଯିବା ନେଇ ସରକାରଙ୍କ ଚିନ୍ତା ବଢିଛି । ଫଳରେ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏଯାଏ ସମୁଦାୟ ୧୯ ଲକ୍ଷ ୨୫ ହଜାର ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯ ହଜାର ୩୭୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।