ନଦୀପଠାରେ ଖେଳୁଥିବା ବେଳେ ଚାଲିଗଲା ଜୀବନ

ଉଦଳା /ଦୀପକ ମିଶ୍ର : ହସ ଖେଳ ବୟସ ରେ ଖେଳିବାକୁ ଧାଇଁ ଆସିଥିଲା ନଦୀ ପଠାକୁ । ନଦୀ ପଠାରେ ବାଲି ବାହାର କରିବା ସମୟରେ ଘଟିଗଲା ବଡ଼ ଅଘଟଣ । ଧସିଗଲା ଅତଡା , ଆଉ ଅତଡା ତଳେ  ଚାପି ହୋଇ ଚାଲିଗଲା ନିଷ୍ପାପ ନାବାଳକର ଗୋଟେ ଅମୁଲ୍ୟ ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବେଲଡିହା ନଦୀ ନିକଟରେ । ପଥରସାହି ଗ୍ରାମର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରକାଶ ନାୟକ ଅପରାହ୍ନ ସମୟରେ ନଦୀ ପଠରେ ବସି ଖେଳୁଥିଲା । ନଦୀ ପଠାରେ ଖେଳିବା ସମୟରେ କୂଳରୁ ବାଲି ସଂଗ୍ରହ କରିବା ସହିତ ନଦୀ ପଠାରେ ଶୋଇ ବାଲି ଖୋଳି ବାହାର କରୁଥିଲା । ସେହି ଶୋଇ ବାଲି ବାହାର କରିବା ସମୟରେ ତା ଉପରେ ଧସକି ପଡିଥିଲା ମାଟି ଅତଡା । ମାଟି ଅତଡା ତଳେ ଚାପି ହୋଇ ରହିଯାଇଥିଲା ନାବାଳକ ପ୍ରକାଶ । ସ୍ଥାନୀୟ ଲୋକେ ଏହା ଦେଖିପାରି କପ୍ତିପଦା ଦମକଳ ବିଭାଗକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନାବାଳକ ଜଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶ ହେଉଛନ୍ତି ପ୍ରଶାନ୍ତ ନାୟକଙ୍କର ଏକମାତ୍ର ପୁଅ । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।